ଷ୍ଟିଚ୍ ପକାଇବାକୁ ମିଳିଲା ନାହିଁ ସୁତା

ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ବନ୍ୟା ପ୍ରଭାବିତ ଛାମୁଣ୍ଡିଆ ପଞ୍ଚାୟତ ବେଠିଆସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳା ତାଙ୍କର ପ୍ରସବ ଏବଂ ସଦ୍ୟ ଜନ୍ମିତ ଶିଶୁର ସୁରକ୍ଷା ପାଇଁ ଦେଶୀ ଡଙ୍ଗାରେ ବନ୍ୟାଜଳ ପାର ହୋଇ ଡାକ୍ତରଖାନା ପହଂଚି ଥିବା ବେଳେ, ସେଠାରେ ପ୍ରସବ ପରେ ଷ୍ଟିଚ୍ ପକାଇବାକୁ ସୂତା ମିଳିନଥିବା ଜଣାଯାଇଛି । ସୂଚନାନୁସାରେ, ବେଠିଆସାହି ଗ୍ରାମର ପିଙ୍କି ପ୍ରଧାନ ଗର୍ଭବତୀ ଥିବା ବେଳେ ଆଜି ଅପରାହ୍ନରେ ତାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ତରଫରୁ ପ୍ରଶାସନର ସହାୟତା ଲୋଡ଼ା ଯାଇଥିବା ତାଙ୍କୁ କୈାଣସି ସହାୟତା ମିଳି ପାରିନଥିଲା । ଫଳରେ ପରିବାର ଲୋକେ ଏକ ଦେଶୀ ଡଙ୍ଗାରେ ତାଙ୍କୁ ଛାମୁଣ୍ଡିଆ ଡାକ୍ତରଖାନା ନେଇଥିଲେ । ଏପଟେ ଗଣିଆ ଡାକ୍ତରଖାନା ଇନଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଷ୍ଟାଫ୍ ନର୍ସ ସଲିଳା ସାହୁ ଏବଂ ଅନ୍ୟ କିଛି କର୍ମଚାରୀ ବହୁ କଷ୍ଟରେ ବନ୍ୟାଜଳ ପାର ହୋଇ ଛାମୁଣ୍ଡିଆ ଡାକ୍ତରଖାନାରେ ପହଂଚିଥିଲେ । ଅଗ୍ନିଶମ ବିଭାଗ ବୋଟ୍ ସାହାର୍ଯ୍ୟରେ ସେମାନେ ବହୁ କଷ୍ଟରେ ଛାମୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥିଲେ । ସେଠାରେ ଗର୍ଭବତୀ ମହିଳା ଜଣଙ୍କ ପ୍ରସବ ପରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ତାଙ୍କର ଷ୍ଟିଚ୍ ପକାଇବା ପାଇଁ ସୂତା ମିଳିନଥିଲା । ଏପରିକି ସଦ୍ୟ ଜନ୍ମିତ ଶିଶୁର ଚିକିତ୍ସା ପାଇଁ କିଛି ସୁବିଧା ନଥିଲା । ଫଳରେ ଡାକ୍ତରଖାନା କର୍ମଚାରୀମାନେ ପୁଣି ଥରେ ଅଗ୍ନିଶମ ବିଭାଗ ବୋଟ ସାହାର୍ଯ୍ୟରେ ତାଙ୍କୁ ଗଣିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଷ୍ଟାଫ ନର୍ସ ସଲିଳା ସାହୁ ସୂଚନା ଦେଇଛନ୍ତି । ସେଠାରେ ଉଭୟ ମା ଓ ଶିଶୁ କନ୍ୟା ସୁସ୍ଥ ଥିବା ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି ।





