ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ଦୁଇଟି ବ୍ଲକରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ରହିଛି । ଗତକାଲି ଯେଉଁ ପରିମାଣର ପାଣି ରହିଥିଲା, ଆଜି କିଛି ପରିମାଣର ପାଣି କମିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମି ନଥିବା ଜଣାଯାଇଛି । ଚାରି ଦିନ ଧରି ପାଣି ଘେରରେ ୪୦ରୁ ଉର୍ଦ୍ଧ୍ୱ ଗାଁ ରହିଥିବା ବେଳେ ସେମାନଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଗଣିଆ ବ୍ଲକର ବିଭିନ୍ନ ଅଂଚଳର ଲୋକଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ନେଇ ଅଭିଯୋଗ ଆସୁଛି । ଗଣିଆ ବ୍ଲକର ଗଣିଆ-ଛାମୁଣ୍ଡିଆ ରାସ୍ତାର ରାସଙ୍ଗଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ସାଢ଼େ ତିନି ଫୁଟର ଜଳ ପ୍ରବାହିତ ହେଉଛି । ଫଳରେ ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ସିଲିଙ୍ଗା ପଞ୍ଚାୟତ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ରାସଙ୍ଗଠାରୁ ଛାମୁଣ୍ଡିଆକୁ ଯାତାୟତ ବିଚ୍ଛିନ୍ନ ହୋଇଥିବା ବେଳେ ବ୍ଲକ ପକ୍ଷରୁ ଗୋଟିଏ ମାତ୍ର ବୋଟ୍ ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ତୀବ୍ର ହେଉଛି । ଆଉ ଏକ ବୋଟ ବ୍ୟବସ୍ଥା କରିବା ପାଇଁ ଅଂଚଳବାସୀ ଦାବି କରୁଛନ୍ତି । ସେହିଭଳି ଭାବେ ଅନ୍ୟତମ ବନ୍ୟାଞ୍ଚଳ ଭାବେ ଭାପୁର ବ୍ଲକର ପାଣିଘେରରେ ରହିଥିବା ମଣିପୁର, ମାଣିତ୍ରୀ ଏବଂ କରବର ଅଂଚଳରେ ଦୁର୍ଦ୍ଦଶା ବୃଦ୍ଧି ପାଉଛି । ଗଣିଆ ଭଳି ଏହି ଅଂଚଳରେ ମଧ୍ୟ ସମାନ ସମାସ୍ୟା ସୃଷ୍ଟି ହୋଇଛି ।






