ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବନ ବିଭାଗ ଆନୁକୁଳ୍ୟରେ ଏକ ସମନ୍ୱୟ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୂଖ ଯୋଗ ଦେଇଥିଲେ । ବନ ବିଭାଗ ରଣପୁର ବନାଞ୍ଚଳରୁ ପ୍ରଥମ କରି ଡିଜିପିଏସ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଭାବେ ବନବିଭାଗ ପୁଲିସ ଓ ରାଜସ୍ୱ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଟାସ୍କଫୋର୍ସ ଗଠନ କରିବା ପାଇଁ ଗଠନ କରାଯାଇଛି । ଏହି ଟାସ୍କଫୋର୍ସ ପୋଡ଼ା ଇଟାମାଟି, ପଥର ଖଣିରେ ମିଳିତ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜାତୀୟ ରାଜପଥ ଅଧିନରେ ଆସୁଥିବା ରାସ୍ତା ସଂପ୍ରସାରଣ ଯେଉଁ ଗଛ କଟା ଯାଉଛି ଏହି ଗଛ ଗୁଡ଼ିକର ସଠିକ ମାପ ରଖିବା ସହ ପୁରୁଣା ଗଛ ଗୁଡ଼ିକ କିପରି ବଂଚିତ ରହିବ ସେ ନେଇ ବନ ବିଭାଗ ସହିତ ଯୋଗାଯୋଗ କରି କାର୍ଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ବନାଞ୍ଚଳ ଅଧିକାରୀ, ବିଦ୍ୟୁତ ବିଭାଗ, ଜାତୀୟ ରାଜପଥ ବିଭାଗ ସମେତ ଅନ୍ୟନ ଅଧିକାରୀମାନେ ଉପସ୍ଥିତ ଥିଲେ ।






