ନୟାଗଡ଼,(ବାଘୁଆବାର୍ତ୍ତା): ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ପାଇଁ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ମାମଲାରେ ପକ୍ଷ ହୋଇ ଚର୍ଚ୍ଚାକୁ ଆସିଥିବା ନୟାଗଡ଼ ଜିଲ୍ଲା ଇଟାମାଟିର ଆଫ୍ତାବ୍ ହୋସେନ୍ଙ୍କୁ ବିଭିନ୍ନ ମହଲରୁ ସଂମ୍ବର୍ଦ୍ଧନାର ସୁଅ ଛୁଟିଛି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏହି +୩ ଛାତ୍ର ଆଫ୍ତାବ୍ଙ୍କର ଜଗନ୍ନାଥ ସଂସ୍କୃତି ଏବଂ ଜଗନ୍ନାଥଙ୍କ ପ୍ରତି ରହିଥିବା ଅହେତୁକ ଦୁର୍ବଳତା ତାଙ୍କ ଆଜି ଶତମୁଖ ପ୍ରଶଂସାର ପାତ୍ର କରିଛି । ସେହିଭଳି ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ରିଭ୍ୟୁ ପିଟିସନ୍ ଦାଖଲ କରିଥିବା ହାତ ଗଚ୍ଚିତି ଲୋକଙ୍କ ମଧ୍ୟରୁ ସେ ଅନ୍ୟତମ ପାଲଟିଥିବା ବେଳେ ପୁରୀ ଗଜପତିଙ୍କ ମୁହଁରେ ମଧ୍ୟ ତାଙ୍କ ପ୍ରଶଂସା ଓଡ଼ିଶା ବାସୀଙ୍କ ନିକଟରେ ତାଙ୍କର ଅନ୍ୟ ପରିଚୟ ସୃଷ୍ଟି କରିଛି । ଆଫ୍ତାବ୍ କେବଳ ଜଗନ୍ନାଥ ସଂସ୍କୃତିସହ ପରିଚିତ ନୁହନ୍ତି, ସେ ଜଗନ୍ନାଥଙ୍କ ଭଜନ ଲେଖିବା ଏବଂ ଗୀତ ଗାଇବାରେ ମଧ୍ୟ ସିଦ୍ଧହସ୍ତ । ଗୁରୁ ପ୍ରଭାତ କୁମାର ଦାଶଙ୍କଠାରୁ ସଂଗୀତ ଶିକ୍ଷା କରୁଥିବା ଆଫ୍ତାବ୍ଙ୍କୁ ରାଗେଶ୍ରୀ ନିଳୟମ, ମା ଫାଉଣ୍ଡସେନ୍, ତଥାସ୍ତୁ ଏବଂ ଉତ୍କଳ ସମ୍ମୀଳନୀ ନୟାଗଡ଼ ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସଂଗୀତ ଗୁରୁ ପ୍ରଭାତ କୁମାର ଦାଶଙ୍କ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ରଂଶ୍ମୀ ରଂଜନ ଜେନା ପରିଚାଳନା ତଥା ଆୟୋଜନ କରିଥିଲେ ।






