ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ପଠାଣୀ ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ ମହାପାତ୍ର, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଡିପିଏମ୍ ନିରଞ୍ଜନ ବରାଳ, ଡା. ନୈାସଦ ଅଲ୍ଲୀ ଖାଁ, ପିଏନଡିଟି ଆଇନ ଉପଦେଷ୍ଟା ମନୋରଂଜନ ପ୍ରଧାନ, ଶ୍ରାବଣିକା ଦାଶ ପ୍ରମୂଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଡ. ଟୁଡୁ ଜିଲ୍ଲାର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଶା କର୍ମୀମାନେ ଆମ ପାଇଁ ଆଖି ଓ କାନ ସଦୃଶ ବୋଲି ବକ୍ତବ୍ୟରେ କହିଥିଲେ । ଜିଲ୍ଲାର ସମସ୍ତ କାର୍ଯ୍ୟରେ ସେମାନଙ୍କର ସହଯୋଗିତା ଆମକୁ ଉତ୍ସାହିତ କରିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ସହ ସମସ୍ତ ଜନସାଧାରଣ ଦାୟିତ୍ୱ ବାନ ହେଲେ ଜିଲ୍ଲାରୁ ବାଲ୍ୟ ବିବାହ, ଯୈାତୁକ ପ୍ରଥା ଓ କନ୍ୟାଭୃଣ ହତ୍ୟାକୁ ରୋକାଯାଇ ପାରିବ ବୋଲି କହିଥିଲେ ।

ଏହି ଅବସରରେ ବନଖଣ୍ଡ ଅଧିକାରୀ କନ୍ୟାଭୃଣ ହତ୍ୟାକୁ ନେଇ ସମସ୍ତଙ୍କର ମତ ପରିବର୍ତ୍ତନ ଦରକାର ଏବଂ ସାମାଜିକ ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲାର ୩୮ ଗୋଟି ପଂଚାୟତରେ ପୁଅ ଓ ଝିଅ ମଧ୍ୟରେ ଅଧିକ ପାର୍ଥକ୍ୟ ରହୁଥିବା ନେଇ କହିଥିଲେ । ଜିଲ୍ଲାର ଶ୍ରେଷ୍ଠ ଆଶା କର୍ମୀ ଭାବେ ନୂଆଗଁ ବ୍ଲକ ବାହାଡ଼ଝୋଲାର ସଂଜୁବାଳା ନାୟକଙ୍କୁ ୧୨ ହଜାର ଟଙ୍କା, ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ସବିତା ସାହୁଙ୍କୁ ଦ୍ୱିତୀୟ କର୍ମୀ ଭାବେ ମନୋନୀତ କରାଯାଇ ୧୦ ହଜାର ଟଙ୍କା, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିଭଳି ଇଟାମାଟିର ଅହଲ୍ୟା ପ୍ରଧାନଙ୍କୁ ତୃତୀୟ କର୍ମୀ ଭାବେ ୮ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି ଜିଲ୍ଲାର ୮ ଗୋଟି ବ୍ଲକର ୮ଜଣ ଆଶା କର୍ମୀଙ୍କୁ ପାଂଚ ହଜାର ଟଙ୍କା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ନୟାଗଡ଼ ବ୍ଲକର ଶରଧାପୁର ପଂଚାୟତକୁ ସୁସ୍ଥ ପଂଚାୟତ ପୁରସ୍କାର ପ୍ରଦାନ କରାଯାଇଥିଲା ।






