ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ ୨୦୨୪ । ଆସନ୍ତା କାଲି ୩ ଘଟିକା ସମୟରେ ଉକ୍ତ ମ୍ୟାଚ ଉଦ୍ଘାଟିତ ହେବ । ସିନ୍ଦୁରିଆ ୭୮୬ ୟୁଥ କ୍ଲବ, ଜିଲ୍ଲା ଆଥଲେଟିକ ଆସୋସିଏସନ, ନୟାଗଡ଼ କ୍ଲବ ଓ ନୟାଗଡ଼ ମଣିଂ କ୍ଲବ ଆନୁକୁଲ୍ୟରେ ଉକ୍ତ ମ୍ୟାଚ ଅନୁଷ୍ଠିତ ହେବ । ଆସନ୍ତା କାଲିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବବୋଲି ଜଣାପଡିଛି । ରାଜ୍ୟ ତଥା ରାଜ୍ୟ ବାହାରର ୮ ଗୋଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ ।
ଆସନ୍ତା କାଲି ଜଗା ୟୁନାଇଟେଡ୍ ଭୁବନେଶ୍ୱର ବନାମ ଇଣ୍ଟରନ୍ୟାସନାଲ ଏଫସି ଫଗୱାଡା ପଞ୍ଚାବ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଆସନ୍ତା କାଲି ଉକ୍ତ ଖେଳକୁ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ପୌରଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ ଓ ଆଶିଷ ଅଗ୍ରୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଭାବେ ଆସନ୍ତା ୮ ତାରିଖରେ ସ୍ପୋର୍ଟସ ଓଡିଶା କଟକ ବନାମ ଟାଟା ଫୁଟବଲ ଏକାଡେମୀ ଜାମସେଦ ପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ୯ ତାରିଖରେ ଆର୍ଟିଲେରି ସେଣ୍ଟର ହାଇଦ୍ରାବାଦ ବନାମ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଭାବେ ୧୦ ତାରିଖରେ ସୀମା ସଶସ୍ତ୍ରବଳ ସିଲଗୁଡ଼ି ବନାମ ସାଇହାଲ ସୁନାବେଢ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ୧୧ ତାରିଖରେ ପ୍ରଥମ ସେମି ଫାଇନାଲ ଅନୁଷ୍ଠିତ ହେଉଥିବା ବେଳେ ୧୨ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ । ଆସନ୍ତା ୧୪ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି ।






