ଓୟୁଏଟିର ସମାବର୍ତ୍ତନ ଉତ୍ସବ
ନୟାଗଡ଼, (ବାଘୁଆବାର୍ତ୍ଥା) : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୩୮ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅଧ୍ୟକ୍ଷତା କରିଥିାବା ବେଳେ ମୁଖ୍ୟ ଅତିଥି ଭାବେ ଇନ୍ଫାଲ ସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟର କୁଳଧିପତି ପ୍ରଫେସର ଏସ୍ . ଆୟାପାନ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୂଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ ଉକ୍ତ ଉତ୍ସବରେ ଉପସ୍ଥିତ ରହିଥିଲେ । କୃତ୍ତି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ମେଡାଲ ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ପି.କେ ମିଶ୍ର ଏବଂ ନାଲୋକର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାଶଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଉକ୍ତ ଉତ୍ସବରେ ନୟାଗଡ଼ ଝିଅ ଲୋପାମୁଦ୍ରା ଦାଶ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୨୦୧୮ ବର୍ଷରେ ସର୍ବାଧିକ ନମ୍ବର ରଖି ଗୋଲ୍ଡ ମେଡାଲ ପାଇଥିଲେ । ଭବାନୀପାଟଣାରେ ଥିବା ଓୟୁଏଟିରେ ପାଠ ପଢ଼ୁଥିବା ଲୋପାମୁଦ୍ରା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ । ତାଙ୍କ ସଫଳତା ଲାଗି ଜିଲ୍ଲାରେ ଖୁସିର ଲହରୀ ଖେଳୀ ଯାଇଛି । ନୟାଗଡ଼ ମୁନିସ୍ପାଲିଟ ୧୦ ନମ୍ବର ୱାର୍ଡ଼ରେ ବାସ କରୁଥିବା ପ୍ରିୟରଂଜନ ଦାଶ ଏବଂ ମନୋରମା ଶତପଥୀଙ୍କ ସେ କନ୍ୟା ।