ମାଲକାନଗିରି, (ବାଘୁଆବାର୍ତ୍ତା): ମାଓ ସଂଗଠନର ମହା ସଚିବ ନାମ୍ବାଲା କେଶବ ରାଓ ଓରଫ ବାସବ ରାଜୁଙ୍କ ସହ ମୋଟ ଆଠ ଜଣ ମାଓବାଦୀଙ୍କ ମୃତ ଦେହ ପୋଡିଲା ଛତିଶଗଡ ନାରାୟଣପୁର ପୋଲିସ । ଜଣେ ମାଜିଷ୍ଟ୍ରେଟରଙ୍କ ଉପସ୍ଥିତିରେ ନାରାୟଣପୁର ମୁକ୍ତିଧାନ ମଶାଣିରେ ଶବ ଦାହ କରିଛନ୍ତି ସୁରକ୍ଷା କର୍ମୀ । ଅବୁଝମାଡ ଜଙ୍ଗଲରେ ଏକାଧିକ ମାଓବାଦୀଙ୍କୁ ସୁରକ୍ଷା କର୍ମୀ ନିପାତ କରିଥିବା ବେଳେ ୧୯ ଜଣଙ୍କ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ହେଲେ ୭ ଜଣ ମାଓବାଦୀଙ୍କ ମୃତଦେହ ନେବା ଲାଗି କୌଣସି ଦାବିଦାର ନଥିବା ବେଳେ ବାସବରାଜୁଙ୍କ ଲାଗି କୌଣସି ଆଇନ୍ ଗତ ପ୍ରମାଣ ପତ୍ର ପ୍ରଦାନ କରି ପାରିନଥିଲେ ପରିବାର ଲୋକେ । ଯେଉଁଥିଲାଗି ବାସବରାଜୁଙ୍କ ମୃତଦେହକୁ ପୋଲିସ ପୋଡି ଦେଇଛି । ନାମ୍ବାଲା କେଶବ ରାଓ ଙ୍କ ଭାଇ ନାମ୍ବାଲା ରାମ ପ୍ରସାଦ ରାଓ ପରିବାର ଓ ଗାଁ ଲୋକଙ୍କ ଶହ ଶବ ଆଣିବାକୁ ଯାଇ ଦୁଇ ଦିନ ଧରି ହଟହଟା ହେବା ପରେ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି । ମାନବ ଅଧିକାର ଉଲ୍ଲଂଘନ ହେବା ସହ ନାରାୟଣପୁର ପୋଲିସ ସେମାନଙ୍କ ସହ ଦୁର୍ବ୍ୟବହାର କରି କେଶବ ରାଓ ଙ୍କ ଶବ ଫେରାଇ ନଥିବା କୋର୍ଟରେ ଅଭିଯୋଗ ହୋଇଛି । ତେବେ ସବୁ ପ୍ରକ୍ରିୟା ଆଇନ୍ ଅନୁଯାୟୀ କରାଯାଇଛି ବୋଲି ନାରାୟଣପୁର ପୋଲିସ କହିଛି । ସେପଟେ ୨୭ ନୁହେଁ ୨୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ମାଓ ସଙ୍ଗଠନ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ୨୧ ତାରିଖ ଏନକାଉଣ୍ଟରରେ ୨୮ ମାଓବାଦୀ ଜୀବନ ଯାଇଛି । ମେ ୧୭ ତାରିଖରୁ ଆରମ୍ଭ ହୋଇ ଥିଲା ଅପରେସନ । ୧୯ ତାରିଖରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା । ସ୍ଥାନ ପରିବର୍ତ୍ତନ କରି ଥିଲେ ବାସବରାଜୁଙ୍କ ଟିମ୍ । ୨୧ ତାରିଖ ଏନକାଉଣ୍ଟରରେ ହୋଇ ଥିଲା ବ୍ୟାପକ କ୍ଷତି । ସେଠାରେ ଥିବା ୩୫ ମାଓବାଦୀଙ୍କ ମଧ୍ୟରୁ ୨୮ ମାଓବାଦୀଙ୍କ ମୃ୍ତ୍ୟୁ ହୋଇଥିଲା । ୬୦ ଘଣ୍ଟାର ଧରି ଭୋକରେ ଥିଲେ ମାଓବାଦୀ । ଲଢ଼ିବାକୁ ଦେହରେ ବଳ ବି ନଥିଲା । ଯାହାର ସୁଯୋଗ ନେଇ ସୁରକ୍ଷାକର୍ମୀମାନେ ଏକକାଉଣ୍ଟର କରିଥିଲେ ବୋଲି ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରି ସୂଚନା ଦିଆଯାଇଛି । ଏବେ ପ୍ରତିକୁଳ ପରିସ୍ଥିତି ଦେଇ ଗତି କରୁଛି ସଙ୍ଗଠନ । ୬୦ ବଦଳରେ ୩୫ ଜଣିଆ ଟିମ ବାସବରାଜୁଙ୍କୁ ସୁରକ୍ଷା ଯୋଗାଉ ଥିଲେ । ଗତ ୬ ମାସ ଧରି ସଙ୍ଗଠନ ଦୁର୍ବଳ ହବାରେ ଲାଗିଛି । ଏନକାଉଣ୍ଟର ପରେ ବାସବରାଜୁଙ୍କ ଦଳରୁ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସଦସ୍ୟଙ୍କ ସୂଚନା ଯୋଗୁଁ ବାସବରାଜୁଙ୍କ ଏନକାଉଣ୍ଟର ହୋଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି ।






