ମାଲକାନଗିରି, (ବାଘୁଆବାର୍ତ୍ତା): ଆନ୍ଧ୍ର, ଓଡ଼ିଶା, ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟ ପୁଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ତଥା ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ରାମକ୍ରିଷ୍ଣା ଓରଫ ଆର.କେ. ଓରଫ ଅକ୍କିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୄତ୍ୟୁ ହୋଇଥିବା ଜଣାପଡିଛି । ଗତ କିଛି ଦିନ ଧରି ସେ କିଡନୀ ଜନିତ ରୋଗରେ ପୀଡିତ ହୋଇ ଗୁରୁତର ଅବସ୍ଥାରେ ଛତିଶଗଡ ଦକ୍ଷିଣ ବସ୍ତର ଜଙ୍ଗଲ ଭିତରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ତାଙ୍କର ମୄତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଛତିଶଗଡ ଡିଜିପି । ଦୀର୍ଘ ଚାରି ଦଶନ୍ଧି ଧରି ରାମକ୍ରିଷ୍ଣା ମାଓ ସଂଗଠନରେ ସାମିଲ ଥିବା ବେଳେ ଆନ୍ଧ୍ର ଓଡିଶା ଛତିଶଗଡ ରାଜ୍ୟର ପ୍ରମୁଖ ହିଂସା କାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ। ଗତ ୨୦୧୭ ମସିହାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ପୁଲିସର ଏନକାଉଣ୍ଟରରେ ତାଙ୍କ ପୁଅ ମୁନାର ମୃତ୍ୟୁ ହୋଇଥିଲା । ୨୦୧୯ ପର୍ୟ୍ୟନ୍ତ ଆର.କେ. କେନ୍ଦ୍ରୀୟ ମାଓ ସଂଗଠନର ମୁଖ୍ୟ ସଂପାଦକ ଭାବେ ଦାୟିତ୍ବ ତୁଲାଇ ଥିବାବେଳେ ଅସୁସ୍ଥତା ଯୋଗୁଁ ତାଙ୍କ ସ୍ଥାନରେ ନାମ୍ବାଲା କେଶବ ରାଓଙ୍କୁ କେନ୍ଦ୍ରୀୟ କମିଟି ସଂପାଦକ ଦାୟିତ୍ବ ଦିଆଯାଇଥିଲା । ୨୦୦୪ ତତ୍କାଳୀନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ରାଜ ଶେଖର ରେଡ୍ଡିଙ୍କ ସମୟରେ ଶାନ୍ତି କଥାବାର୍ତ୍ତା ନେଇ ମୁଖ୍ୟ ସ୍ରୋତକୁ ଯାଇ ଚର୍ଚ୍ଚାକୁ ଆସିଥିଲେ ରାମକ୍ରିଷ୍ଣା । ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ, କୋରାପୁଟ ଅସ୍ତ୍ରାଗାର ଲୁଟ, ନୟାଗଡ ଆକ୍ରମଣ, ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ଲଞ୍ଚ ଉପରେ ଆକ୍ରମଣ କରି ୩୪ ଜଣ ଆନ୍ଧ୍ର ଗ୍ରେହାଉଣ୍ଡସ୍ ଯବାନଙ୍କ ହତ୍ୟା ଭଳି ଓଡିଶାର ବହୁ ମାଓ ହିଂସାର ମାଷ୍ଟର ମାଇଣ୍ଡ ଥିଲେ ଆର୍.କେ. । ତାଙ୍କ ନାମରେ ଚାରଟି ରାଜ୍ୟରେ ପ୍ରାୟ ୧ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ମାଓ ସଂଗଠନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରେସ୍ ରିଲିଜ କରାଯାଇନାହିଁ । ଛତିଶଗଡ ପୁଲିସର ଗୁଇନ୍ଦା ବିଭାଗ ତରଫରୁ କେବଳ ଏହି ସୁଚନା ମିଳିଛି ।






