ଭୁବନେଶ୍ୱର (ବାଘୁଆବାର୍ତ୍ତା) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ‘ୟସ’ ର ରୂପ ନେଇ ଓଡିଶା-ପଶ୍ଚିମବଙ୍ଗ ଅଭିମୁଖେ ଗତିି କରିବାର ସମ୍ଭାବନା ଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ନୌସେନାକୁ ସଜାଗ ରଖାଯାଇଛି । ନୌସେନାର ୪ଟି ଜାହାଜ ଓ ଏୟାରକ୍ରାଫ୍ଟକୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ମାନବିକ ସହାୟତା ପାଇଁ ଆଜି ପ୍ରସ୍ତୁତ ରଖାଯାଇଛି । ଓଡିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ଓଡିଶା ଓ ପଶ୍ଚିମବଙ୍ଗ ଦାୟିତ୍ୱରେ ଥିବା ନାଭାଲ କମାଣ୍ଡ ପକ୍ଷରୁ ବାତ୍ୟା ‘ୟସ’ର ମୁକାବିଲା ପାଇଁ ୮ଟି ବନ୍ୟା ରିଲିଫ ଟିମ, ୪ଟି ଡ୍ରାଇଭିଂ ଟିମକୁ ଓଡିଶା ଓ ପଶ୍ଚିମବଙ୍ଗରେ ମୃତୟନ କରାଯାଇଛି । ୪ଟି ନୌଜାହାଜକୁ ଯେକୌଣସି ପ୍ରକାରର ମାନବିକ ସହାୟତା ପାଇଁ ଷ୍ଟାଣ୍ଡବାଏ ମୋଡରେ ରଖାଯାଇଛି । ନାଭାଲ ଏୟାର ଷ୍ଟ୍ରିପରେ ଏୟାରକ୍ରାଫ୍ଟକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ବିଶାଖାପାଟଣାରେ ଆଇଏନଏସ ଡେଭା ଏବଂ ଚେନ୍ନାଇରେ ଆଇଏନଏସ ରାଜାଲିକୁ ପ୍ରସ୍ତୁତ ରଖାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ସାମଗ୍ରୀକୁ ଆକାଶମାର୍ଗରୁ ପକାଇବା ପାଇଁ ନୌସେନା ସହଯୋଗ କରିବ ବୋଲି ଜଣାପଡିଛି ।






