ନୟାଗଡ଼,(ବାଘୁଆବାର୍ତ୍ତା): ଜାତୀୟ ସଡ଼କ ସୁରକ୍ଷା ମାସ ଆଜି ଉଦ୍ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସୁପରିଚାଳନାରେ ଏକ ସଚେତନତା ସଭା ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାୟ ଏକ ମାସ ଧରି ସଡ଼କ ସୁରକ୍ଷା ଦିଗରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ପାଇଁ ସଚେତନତା ମାଧ୍ୟମରେ ନେଇଥିବା ପଦକ୍ଷେପରେ ଭୂୟଶୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପୁଷ୍ପା ନିଳିମା ଲାକ୍ରା ସକାରାତ୍ମକ ଦିଗ ଉପରେ ଆଲୋଚନା କରି ଗତ ବର୍ଷ ଜାନୁଆରୀ ମାସଠାରୁ ଚଳିତ ବର୍ଷ ଜାନୁଆରୀ ମାସରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଥିବା ପରିପ୍ରେକ୍ଷୀରେ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ପୋଲିସ ମୁଖ୍ୟାଳୟ ଡିଏସପି ହେମନ୍ତ ରାଓ ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସଡ଼କ ସୁରକ୍ଷା ଜୀବନ ରକ୍ଷା ପରିବର୍ତ୍ତେ ଏଣିକି ସଡ଼କ ସୁରକ୍ଷା ପରିବାର ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସିଭିଲ ସୋସାଇଟ ପକ୍ଷରୁ ରୋଟାରିଆନ ଗୋଦାବରୀ ସାହୁ, ଘରୋଇ ବସ ମାଲିକ ସଂଘ ସଭାପତି ମନୋଜ ନାୟକ, ସମ୍ପାଦକ ଶେଖ ଇସୁବ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ହୋସେନ ଖାଁ ଭାଗ ନେଇ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦ୍ଯାପନୀ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗୀତା କୃତ୍ତି ପ୍ରତିଯୋଗୀଙ୍କୁ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସଡ଼କ ସୁରକ୍ଷା ସଚେତନତାରେ ଉଲ୍ଲେଖନୀୟ ସହଯୋଗ କରିଥିବା ସିଭିଲ ସୋସାଇଟି ପକ୍ଷରୁ ଗୋଦାବରୀ ସାହୁ, ସ୍ମାଇଲ ନୟାଗଡ଼ ମୁଖ୍ୟ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖଙ୍କୁ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧୀତ କରିଥିଲେ । ଏଥିସହିତ ଘରୋଇ ବସ ଆସୋସିଏସନ୍. ଡ୍ରାଇଭର ସଂଘ, ଘରୋଇ ଟ୍ରକ ଆସୋସିଏସନ୍ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଏମ୍ଭିଆଇ ହେମନ୍ତ ପାଢ଼ୀ ସମସ୍ତଙ୍କ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ହେଲା ବୋଲି କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ସିଭିଲ ସୋସାଇଟିର ସଭ୍ୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ, ଜିଲ୍ଲା ଡ୍ରାଇଭର ଆସୋସିଏସନର ସଭ୍ୟ, ଟ୍ରକ, ମୋଟୋର ଆସୋସିଏସନର କର୍ମକର୍ତ୍ତ ବହୁଳ ଭାବେ ଯୋଗ ଦେଇଥିଲେ ।





