ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବା ବେଳେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେଉଁ କେଉଁ ବିଭାଗରେ କେତେ ଖର୍ଚ୍ଚ ହେବ ଏହାର ବିସ୍ତୃତ ତଥ୍ୟ ଦେଇଛନ୍ତି । ସୂଚନାନୁସାରେ, କୃଷି, ଶ୍ରମିକ, ସହରାଞ୍ଚଳରେ ବସବାସ କରୁଥିବା ଅଧିବାସୀ ଉଠାଦୋକାନୀ ଆଦିବାସୀଙ୍କ ସମେତ ବିଭିନ୍ନ ଜନସାଧାରଣଙ୍କ ପାଇଁ ଏହି ଅନୁଦାନ ଖର୍ଚ୍ଚ ନିମନ୍ତେ ଘୋଷଣା କରିଛନ୍ତି । ମୁଖ୍ୟତଃ ଗୋପାଳନ ଓ ମାଛ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ଼ ବଣ୍ଟନ, ଅଧିକ ମାନବ ଦିବସ ସୃଷ୍ଟି ନିମନ୍ତେ ଏମ୍ଜିଏନ୍ଆର୍ଇଜିଏସ୍ରେ ଥିବା ଶ୍ରମିକ ମଜୁରୀ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଥିସହିତ ଏକ ଦେଶ ଏକ ରାସନ୍ କାର୍ଡ଼ ପ୍ରଦାନ କରିବା ନିମନ୍ତେ ଘୋଷଣା କରାଯାଇଛି । ଚାଷୀ ଓ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍, ୮ କୋଟି ପ୍ରବାସୀଙ୍କୁ ମାଗଣା ଖାଦ୍ୟ ଶସ୍ୟ, ପ୍ରବାସୀମାନଙ୍କ ପାଇଁ ଘରଭଡ଼ା ଯୋଜନା, ଉଠା ଦୋକାନୀ ମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର ୧୦ ହଜାର ଟଙ୍କା ଲେଖାଏଁ ଋଣ ପ୍ରଦାନ, ଆଦିବାସୀ ମାନଙ୍କ ପାଇଁ କାମ୍ପାପାଣ୍ଠି ଜରିଆରେ ୬ ହଜାର କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ । ଏଥିସହିତ ଜୁନ ୩୦ ଯାଏଁ ସମସ୍ତ ଟ୍ରେନକୁ ବାତିଲ୍ କରାଯାଇଛି । କେବଳ ମାଲବାହୀଗାଡ଼ି ଏବଂ ଶ୍ରମିକ ଟ୍ରେନ ଯାତାୟତ କରିବ । କୃଷିଋଣ ଅବଧିକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜନାପଡ଼ିଛି ।






