ଭୁବନେଶ୍ୱର (ବାଘୁଆବାର୍ତ୍ତା): ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ଗୁଜୁରାଟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୁଜୁରାଟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆଜି ଗୁଜୁରାଟ ଭାବନଗର ଠାରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ତାଙ୍କର ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ମୁତାବକ ସେ ପ୍ରଭାବିତ ଅମରେଲି, ଗିର ସୋମନାଥ ଓ ଭାବନଗର ଜିଲ୍ଲା ଗୁଡିକରେ ହୋଇଥିବା କ୍ଷତି ଉଡାଜାହାଜରେ ବସି ଅନୁଧ୍ୟାନ କରିଛନ୍ତି । ଏହାସହ ସେ ଅହମଦାବାଦରେ ଏକ ବୈଠକ କରିବେ । ସେଠାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିବେ । ସାମୁଦ୍ରିକ ଝଡ ତୌକତେ ପ୍ରଭାବରେ ଗୁଜୁରାଟର ଉପକୂଳବର୍ତ୍ତି ଅଞ୍ଚଳ ମାନଙ୍କରେ ବିଶେଷ କ୍ଷୟ କ୍ଷତି ହୋଇଛି । ବିଜୁଳି ଖୁଣ୍ଟ ଗୁଡିକ ଉପୁଡି ପଡିବା ସହ ରାସ୍ତାଘାଟ ଧୋଇ ହୋଇଯାଇଛି । ଏହାସହ ଅନେକ ଘର ଭାଙ୍ଗିଛି । ଅନ୍ୟପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ତୋଫାନକୁ ନଜରରେ ରଖି ରାଜ୍ୟ ସରକାର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଦେଇଥିଲେ । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସୂଚନା ମୁତାବକ ଝଡର ପ୍ରଭାବରେ ୧୬ ହଜାର ଘର ଭାଙ୍ଗିଥିବା ବେଳେ ୪୦ ହଜାରରୁ ଅଧିକ ଗଛ ଉପୁଡି ପଡିଛି, ୭୦ ହଜାରରୁ ଅଧିକ ବିଜୁଳି ଖୁଣ୍ଟ ଭାଙ୍ଗିଛି । ଏହାସହ ୫୯୫୧ ଗାଁ କୁ ବିଜୁଳି ସରବାରାହ ବ୍ୟାଘାତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ଗୁଜୁରାଟକୁ ଆଗରୁ ଆସିଥିବା ବାତ୍ୟା ମଧ୍ୟରୁ ଏହା ସବୁଠାରୁଚ ବଡ଼ ବାତ୍ୟା । ପ୍ରଧାନମନ୍ତ୍ରୀ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି ।






