ବାରଙ୍ଗ, (ବାଘୁଆବାର୍ତ୍ତା): ନନ୍ଦନକାନନର ବାଘ ସଫାରୀରେ ଦୁଇଟି କୁମ୍ଭୀର ଛୁଆ ରହିଥିବା ଦେଖାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ପୁଣି ଥରେ ଅକଳରେ ପଡିଛନ୍ତି । କାରଣ ଗତ କିଛି ଦିନ ତଳେ ଏହିପରି ଘଟଣା ସେମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିଲା । ଦୁଇଦିନ ହେବ ସଫାରୀରେ ଥିବା ପାଣି ଭିତରେ କୁମ୍ଭୀର ଛୁଆ ରହିଥିବା ଦେଖି ପର୍ୟ୍ୟଟକ ବେଶ୍ ମନୋରଞ୍ଜନର ଖୋରାକ୍ ପାଉଛନ୍ତି । ଗତ ଦୁଇଦିନ ତଳେ ବାଘ ସଫାରୀରୁ କୁମ୍ଭୀର ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା । ଗୋଟିଏ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି, ଅନ୍ୟଟି ସେହି ପାଣି ଭିତରେ ବୁଲୁଛି । ତାକୁ ଶୀଘ୍ର ଉଦ୍ଧାର କରାନଗଲେ ସମସ୍ୟା ଦେଖାଦେବ ବୋଲି କର୍ତ୍ତୃପକ୍ଷ ଅନୁଭବ କରୁଛନ୍ତି । ଉଦ୍ଧାର ହୋଇଥିବା କୁମ୍ଭୀର ଛୁଆଟିର ଲମ୍ବ ଦେଢ ଫୁଟରୁ ଦୁଇ ଫୁଟ ହେବ । ଲଗାଣ ବର୍ଷା ଯୋଗୁ ତାକୁ ଉଦ୍ଧାର କରାଯାଇପାରୁନି । କୁହାଯାଉଛି ଯେ କୁମ୍ଭୀର ମାନଙ୍କର ଅଣ୍ଡାକୁ କୌଣସି ପକ୍ଷୀ ଥଣ୍ଟରେ ନେଇ ଗଲାବେଳେ ଏହି ସଫାରୀ ପାଣିରେ ପଡିଯାଇ ସେଥିରୁ ଛୁଆ ଫୁଟି ସେହିଠାରେ ବଢ଼ୁଛନ୍ତି । ତେଣୁ ବାରମ୍ବାର ସଫାରୀ ଭିତର ପାଣିରେ ଏପରି କୁମ୍ଭୀର ଛୁଆଙ୍କୁ ଦେଖାଯାଉଛି ।






