ଭୁବନେଶ୍ବର, (ବାଘୁଆବାର୍ତ୍ତା): ଦୀର୍ଘ ଦିନ ବନ୍ଦ ରହିବା ପରେ ନନ୍ଦନକାନନ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା କଟକଣା ପାଇଁ ଚଳିତ ବର୍ଷ ମେ ମାସ ୧ ତାରିଖ ଠାରୁ ନନ୍ଦନକାନନ ଉଭୟ ପ୍ରାଣୀଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନକୁ ବନ୍ଦ କରିଦିଆଯାଇଛି । ଜୀବଜନ୍ତୁ ମାନଙ୍କୁ କରୋନା ସଂକ୍ରମଣ ଭୟ ଥିବାରୁ ନୂଆ ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ମଧ୍ୟ ବନ୍ଦ କରିଦିଆଯାଇଥିଲା । ନନ୍ଦନକାନନକୁ ପର୍ୟ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ କିଛି ଜୀବଜନ୍ତୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିବା ସହିତ ସଫାରୀ, ବହୁତଳ ପାର୍କିଂ ଓ ଶିଶୁରେଳଗାଡି ଚଲାଇବା ପାଇଁ ପ୍ରସ୍ଥୁତି ଆରମ୍ଭ କରିଛନ୍ତି । ସେଥି ମଧ୍ୟରୁ ଅଗଷ୍ଟ ମାସରେ ଜୟପୁର ଓ ଜୋଧପୁର ଚିଡିଆଖାନାରୁ ଜୀବଜନ୍ତୁ ଆଣିବା ପାଇଁ ନୂତନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ନନ୍ଦନକାନନ ଅଗଷ୍ଟ ମାସରେ ୪ ପ୍ରଜାତିର ୮ ଜୀବଜନ୍ତୁ (କଲରାପତରିଆ ବାଘ, ଧୁସର ଗଧିଆ, ଘଡିଆଳ କୁମ୍ଭୀର ଓ ଚିଙ୍କାରା ହରିଣ) ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । କେନ୍ଦ୍ରୀୟ ଚିଡିଆଖାନର ନିର୍ଦ୍ଦେଶ ମିଳିବା ପରେ ଏହି ସବୁ ଜନ୍ତୁ ମାନଙ୍କୁ ନନ୍ଦନକାନନ ଅଣାଯିବ । ତେବେ ସିଙ୍ଗାପୁର, ଥାଇଲାଣ୍ଡ ଓ ଆଫ୍ରିକା ଚିଡିଆଖାନାରୁ ଆଫ୍ରିକାନ ଚିତା, ଗଣ୍ଡା ଓ ଜେବ୍ରା ଆଣିବା ପାଇଁ ଯୋଗାଯୋଗ ଆରମ୍ଭ ହୋଇଛି । ଗତ କିଛି ବର୍ଷ ହେବ ନନ୍ଦନକାନନରୁ ଜେବ୍ରା ଓ ଗଣ୍ଡା ଏଇ ଦୁଇ ପ୍ରଜାତିର ପ୍ରାଣୀ ଲୋପ ପାଇଛନ୍ତି । ତା’ ସହିତ ଆଫ୍ରିକୀୟ ଚିତା ମଧ୍ୟ ଏଠାରେ ଦେଖିବାକୁ ମିଳିଲେ ପର୍ୟ୍ୟଟକ ବେଶି ଖୁସି ହେବେ ବୋଲି ନୂଆ ଉପନିର୍ଦ୍ଦେଶକ କହିଛନ୍ତି । ଶିଶୁ ରେଳଗାଡି ଚାଲିବା ବିଳମ୍ବ ହୋଇପାରେ। ପ୍ରାୟ ୭ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶିଶୁ ରେଳଗାଡି ଚାଲିବା ପାଇଁ ପଥ ପରିସ୍କାର ହୋଇଥିଲେ ମଧ୍ୟ ନନ୍ଦନକାନନ ଖୋଳିବା ପରେ ମଧ୍ୟ ଚାଲିବାର ପ୍ରାୟ ତିନିମାସ ବିଳମ୍ବ ହେବ ହେବ । ଶିଶୁ ରେଳଗାଡିର ଇଞ୍ଜିନ ସହିତ ସମସ୍ତ ଡବା ଯୋଡାଯାଇଛି । ବର୍ତ୍ତମାନ ଏହାର ଟ୍ରାୟଲ ଆରମ୍ଭ ହୋଇଛି ।






