ବାରଙ୍ଗ, (ବାଘୁଆବାର୍ତ୍ତା): ଦଶହରା ପାଇଁ ପର୍ୟ୍ୟଟକଙ୍କୁ ନନ୍ଦନକାନନର ଭେଟି । ବହୁ ଦିନ ଧରି ବନ୍ଦଥିବା ଟୟ ଟ୍ରେନ୍ ଚାଲିବ । ଦୀର୍ଘ ୧୦ ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ରୋପୱେର ମଧ୍ୟ ଶୁଭ ଦିଆଯିବ । ଏନେଇ ସମସ୍ତ କାର୍ୟ୍ୟ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଆସନ୍ତା ୮ ତାରିଖ ଶୁକ୍ରବାର ଏଗୁଡିକ ଉଦ୍ଘାଟନ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ୬ ବର୍ଷ ହେବ ବନ୍ଦ ପଡ଼ିଛି ଏହି ଟୟ ଟ୍ରେନ୍ । ଏଣିକି କୁନି ପର୍ୟ୍ୟଟକମାନେ ପ୍ରାଣୀ ଉଦ୍ୟାନ ମଧ୍ୟରେ ଟୟ ଟ୍ରେନ୍ ଯୋଗେ ବୁଲିବା ସହ ଘଞ୍ଚ ଜଙ୍ଗଲ ସହିତ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଦେଖିବାର ମଜା ନେଇପାରିବେ । ମାର୍ଚ୍ଚ ମାସରୁ ରେଳଗାଡିର ଡବା ଇଞ୍ଜିନ ଆସିବା ଆରମ୍ଭ ହୋଇଥିଲା । ଏପ୍ରିଲ ମାସ ସୁଦ୍ଧା ସମସ୍ତ ଡବା କାର୍ୟ୍ୟ ସମାପ୍ତ ହୋଇ ରେଳ ଲାଇନ୍ରେ ପରୀକ୍ଷଣ କରାଯାଇଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଗୁଡ଼ିକୁ ସୁଧାରିବା ପରେ ବର୍ତ୍ତମାନ ଏହା କାର୍ୟ୍ୟକାରୀ ହୋଇଛି । ଇଞ୍ଜିନ, ଡ୍ରାଇଭର ଡବା ସହିତ ଆଉ ଚାରୋଟି ଡବାକୁ ନେଇ ଶିଶୁ ରେଳଗାଡ଼ି ପର୍ୟ୍ୟଟକଙ୍କୁ ବୁଲାଇବ । ଏଥିରେ ମୋଟ ୭୦ ଜଣ ପର୍ୟ୍ୟଟକ ବସିବାକୁ ଥିବା ବେଳେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତି ବସିବା ପାଇଁ ମୋଟ ୭୨ ସିଟ୍ ରହିଛି । ସୂଚନା ଯୋଗ୍ୟ ୨୦୧୬ ମସିହାରୁ ଶିଶୁ ରେଳଗାଡି ଚାଲିବା ପାଇଁ ସମସ୍ତ କାର୍ୟ୍ୟ ଆରମ୍ଭ କରାଯାଇ ଏହାର ପ୍ଲାଟଫର୍ମ ଓ ରେଳପଥର ଉନ୍ନତିକରଣ ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିଲା । ୨୦୨୧ ମାର୍ଚ୍ଚ ମାସରେ ରେଳ ଡବା ଓ ଇଞ୍ଜିନ ଆସିବା ଆରମ୍ଭ ହୋଇଥିଲା । କରୋନା କଟକଣା ପାଇଁ ବନ୍ଦ ରହିବା ପରେ ଏବେ ଚାଲିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ପର୍ୟ୍ୟଟକଙ୍କ ପାର୍କିଂ ପାଇଁ ଅସୁବିଧା ହେଉଥିବାରୁ ବହୁତଳ ପାର୍କିଂ ବ୍ୟବସ୍ଥାର ମଧ୍ୟ ଉଦଘାଟନ କରାଯିବ ବୋଲି ସ୍ଥିର ହୋଇଛି । ନନ୍ଦନକାନନ କର୍ତ୍ତୃପକ୍ଷ ୨୦୧୮ ମସିହାରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟରେ ପାର୍କିଂ, ଭୂତଳ ରାସ୍ତା ଓ ବସଷ୍ଟାଣ୍ଡର କାର୍ୟ୍ୟ ମାଷ୍ଟର ପ୍ଲାନରେ ହେବା ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୦ ମସିହା ସୁଦ୍ଧା କେବଳ ବହୁତଳ ପାର୍କିଂର କାର୍ୟ୍ୟ ଶେଷ ହୋଇଥିଲା । ଏଥିରେ ପର୍ୟ୍ୟଟକ ଏକା ସାଙ୍ଗରେ ୧୫ ଶହ ଚାରିଚକିଆ ଓ ୬ ଶହ ଦୁଇଚକିଆ ଗାଡି ପାର୍କିଂର ସୁବିଧା ପାଇପାରିବେ । ଏହାର ଉପରେ ଏକ ରେଷ୍ଟୁରାଣ୍ଟର ମଧ୍ୟ ବ୍ୟବସ୍ଥା ରହିଛି । ଯାହା ପର୍ୟ୍ୟଟକଙ୍କ ପାଇଁ ଖୁବ୍ ଶୀଘ୍ର ଖୋଲିବ ବୋଲି ସୂଚନା ମିଳିଛି । ପ୍ରାଣୀ ଉଦ୍ୟାନର ପର୍ୟ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ରୋପୱେ ଦୀର୍ଘ ୧୦ ବର୍ଷ ଧରି ବନ୍ଦ ହୋଇ ପଡିରହିଥିଲା । ପୁଣି ରୋପୱେ ଚାଲିବା ପାଇଁ ପଥ ପରିଷ୍କାର ହୋଇଛି । ଆସନ୍ତା ୮ ତାରିଖରେ ଏହାର ଶୁଭ ଦିଆଯିବ ବୋଲି ଜଣାପଡିଛି । ୧୯୯୪ ମସିହାରେ ପ୍ରଥମେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଥିଲେ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଧ୍ୟରେ କାଞ୍ଜିଆ ହ୍ରଦ ଉପରେ ପର୍ୟ୍ୟଟକ ମାନେ ବୁଲିବାର ମଜା ଉଠାଇ ପାରୁଥିଲେ । ରୋପୱେରେ କିଛି ଯାନ୍ତ୍ରିକ ତ୍ରୁଟି ଆସିବା ଫଳରେ ଦୁଇ ଦୁଇ ଥର ଦୁର୍ଘଟଣା ଘଟିଥିଲା । ଫଳରେ ୨୦୧୧ ମସିହାରୁ ଏହାକୁ ବନ୍ଦ କରିଦିଆଯାଇଥିଲା । ଏହାକୁ ପୁନଶ୍ଚ ନୂତନ ଜ୍ଞାନ କୌଶଳରେ ନିର୍ମାଣ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦୀର୍ଘ ପ୍ରାୟ ୧୦ ବର୍ଷ ସମୟ ଲାଗି ଯାଇଛି । ୮ ତାରିଖରେ ଉଦଘାଟନ ପରେ ଦଶହରାରେ ପର୍ୟ୍ୟଟକମାନେ ଏହାର ମଜା ନେଇପାରିବେ ବୋଲି ଆଶା କରାଯାଉଛି ।






