ଭୁବନେଶ୍ବର, (ବାଘୁଆବାର୍ତ୍ତା): ପୂର୍ବ ସରକାର ଯଦି ତାଲିକା ପ୍ରସ୍ତୁତ କରିଥାନ୍ତେ, ତେବେ ରାଜ୍ୟକୁ ଆହୁରି ଘର କେନ୍ଦ୍ର ଠାରୁ ମିଳି ସାରିଥାନ୍ତା । ତେଣୁ ତାଲିକା ନଥିବାରୁ ଲୋକ ମାନେ ଘର ପାଇବାରୁ ବଞ୍ଚିତ ହେଲେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣ କରିସାରିଲେଣି ୩୫ ଲକ୍ଷ ଲୋକ । ମେ’ ୧୫ ତାରିଖ ପଞ୍ଜୀକରଣ ପାଇଁ ଶେଷ ଦିନ । ପଞ୍ଜୀକରଣ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ମେ’ ୧୫ ପରେ ବିଭାଗୀୟ ଅଧିକାରୀ ମାନେ ଘର ଘର ବୁଲି ସର୍ଭେ କରି ଚିହ୍ନଟ କରିବେ ଯୋଗ୍ୟ ହିତାଧିକାରୀ । ଦୁଇରୁ ତିନୋଟି ପର୍ଯ୍ୟାୟରେ ସର୍ଭେ ହେବ । ସ୍କୃଟିନି ହେବା ପରେ ସର୍ଭେ ଠିକ୍ ଭାବେ ହୋଇଛି କି ନାହିଁ ଯାଞ୍ଚ କରାଯିବ । ସର୍ଭେରେ ଅବହେଳା ହୋଇଥିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ସରକାରଙ୍କୁ ଚୂଡ଼ାନ୍ତ ତାଲିକା ପଠାଯିବ । କେନ୍ଦ୍ର ଅର୍ଥ ଦେଲା ପରେ ରାଜ୍ୟ ସରକାର ନିଜର ଭାଗ ଦେବେ । ତେବେ ପୂର୍ବ ସରକାର ଯଦି ତାଲିକା ପ୍ରସ୍ତୁତ କରିଥାନ୍ତେ, ତେବେ ରାଜ୍ୟକୁ ଆହୁରି ଘର କେନ୍ଦ୍ର ଠାରୁ ମିଳି ସାରିଥାନ୍ତା । ତେଣୁ ତାଲିକା ନଥିବାରୁ ଲୋକ ମାନେ ଘର ପାଇବାରୁ ବଞ୍ଚିତ ହେଲେ । ଏବେ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ପକ୍କା ଘର ଛାତ ପଡ଼ି ସାରିଛି । କିଛି ଘର କ୍ଷେତ୍ରରେ ଜମି ସମସ୍ୟା ରହିଛି । ପାଖାପାଖି ୫୦୦ ଘର ପାଇଁ ଜମି ସମସ୍ୟା ଅଛି । ଏହାସହ କେନ୍ଦ୍ର ଦେଇଥିବା ୧ ଲକ୍ଷ ୨୦ ହାଜର ଘର କାମ ଚାଲିଛି । ଅନ୍ତୋଦୟ ଗୃହ ଯୋଜନାରେ ୬୦ ହଜାର ଘର ଦିଆଯାଇଛି । ଆଉ ୧ ଲକ୍ଷ ଘର ଦେବା ପାଇଁ ତାଲିକା ପ୍ରସ୍ତୁତ କରାଯାଉଛି । ବିଧବା, ରୋଗଗ୍ରସ୍ତ, ପଦ୍ମଶ୍ରୀ, ଦେଶ ପାଇଁ ସଂଗ୍ରାମରେ ଜୀବନ ଦେଇଥିବା ଲୋକଙ୍କ ପରିବାରକୁ ମଧ୍ୟ ଅନ୍ତୋଦୟ ଯୋଜନାରେ ସାମିଲ କରାଯିବ । ଏହାସହ ଘର ପାଇଁ ୨୨ ହଜାରରୁ ୪୮ ହାଜର ଟଙ୍କା ଲେଖାଏଁ ପାଇଥିଲେ ଓ ପରେ ଘର ଭାଙ୍ଗିଯାଇଛି । ସେମାନଙ୍କୁ ମଧ୍ୟ ଘର ଦେବା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।





