ରାୟଗଡା, (ବାଘୁଆବାର୍ତ୍ତା): ରାୟଗଡା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲାପୋଲ ଏବଂ ହାତିପଥର ନିକଟରେ ବାପ-ପୁଅ ନିଖୋଜ ଘଟଣାରେ ପୁଅର ମୃତଦେହ ଉଦ୍ଧାର ହୋଇଛି । ବାପା-ପୁଅ ହେଲେ ପାରଳାଖେମୁଣ୍ଡି ସହରର ୧୯ବର୍ଷୀୟ କେ. ଜିତେନ୍ଦ୍ର ଏବଂ ୪୫ବର୍ଷୀୟ କେ. ଶ୍ରୀନିବାସ । ସେମାନଙ୍କ ଘର ପାରଳାଖେମୁଣ୍ଡି ସହର କାମ୍ପ ସାହିରେ । ସୂଚନାନୁସାରେ, ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ୟ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ। ମନ୍ଦିରରେ ଦର୍ଶନ ସାରି ସହର ପାର୍ଶ୍ବଦେଇ ବୋହିଯାଉଥିବା ନାଗାବଳୀ ଉପରେ ଝୁଲାପୋଲକୁ ଯାଇଥିଲେ। ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଉପଭୋଗ କରିବା ପାଇଁ ଝୁଲାପୋଲ ଏବଂ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ। ସେଠାରେ ବାପା ଶ୍ରୀନିବାସ ଗୋଡ ଧୋଇଥିଲେ। ସ୍ଥାନଟି ସମ୍ପୂର୍ଣ୍ଣ ରୁପେ ପଥୁରିଆ ଥିଲା। ପାଣିର ସୁଅରେ ଶିଉଳି ପଡିଥିବା ଯୋଗୁଁ ବାପା ଶ୍ରୀନିବାସଙ୍କ ପାଦ ଖସିଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସିଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବାପାଇଁ ପୁଅ ଜିତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁପଡିଥିଲେ। ଏଭଳି ସ୍ଥିତି ଦେଖି ଅନ୍ୟ ପର୍ୟ୍ୟଟକ ମାନେ କୂଳରେ ରହି ପାଟି କରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ପାଣି ଭିତରେ ଖୋଜିବା ସମ୍ଭବ ନହେବାରୁ ଉଦ୍ଧାର କାର୍ୟ୍ୟ ବନ୍ଦ କରିଦିଆଯାଇଛି। ସୋମବାର ପୁଣି ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା । ତେବେ ନିଖୋଜ ପୁଅର ମୃତଦେହ ଉଦ୍ଧାର ହୋଇଛି । ଏବେବି ବାପାଙ୍କ ପତ୍ତା ମିଳିପାରି ନାହିଁ ।






