ଆନନ୍ଦପୁର, (ବାଘୁଆବାର୍ତ୍ତା): ନାଗ ଦଂଶନରେ ଗଲା ମନ୍ଦିର ପୂଜକଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଝାଡେଶ୍ଵର ମନ୍ଦିରରେ ଏଭଳି ଅଘଟଣ ଘଟିଛି। ଶିବ ଲିଙ୍ଗରୁ ବାସି ବେଲପତ୍ର ଓ ଫୁଲ କାଢୁଥିବା ବେଳେ ଚୋଟ ମାରିଦେଲା ନାଗ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଝାଡେଶ୍ଵର ମନ୍ଦିର ପୂଜକ କୈଳାଶ ଚନ୍ଦ୍ର ମିଶ୍ର ତାଙ୍କ ପାଳି ଅନୁଯାୟୀ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଥିଲେ। ପୂଜା ନୀତିକାନ୍ତି କରିବା ପୂର୍ବରୁ ଶିବ ଲିଙ୍ଗରୁ ବାସି ବେଲପତ୍ର ଓ ଫୁଲ ସଫାକରିବାକୁ ଲିଙ୍ଗ ପିଣ୍ଡିକୁ ହାତ ବଢାଇଥିଲେ। ଏହି ସମୟରେ ଲିଙ୍ଗ ଉପରେ ଥିବା ଏକ ନାଗ ସାପ ତାଙ୍କ ହାତକୁ ଦଂଶନ କରିଦେଇଛି। ପୂଜକଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଷିପୁରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପୂଜକଙ୍କର ଏଭଳି ମୃତ୍ୟୁ ପରେ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି।





