ଭୁବନେଶ୍ୱର,(ବାଘୁଆବାର୍ତ୍ତା):ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ଓ ଏହାର ସଫଳ ପରିଚାଳନା ଏବଂ ଜିଲ୍ଲାରେ ଜଳସେଚନର କ୍ଷମତା ବୃଦ୍ଧି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଲୋକସଭା ସାଂସଦ, ନବରଙ୍ଗପୁର ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନି, ବିଧାୟକ ଡାବୁ ଗାଁ ଶ୍ରୀ ମନୋହର ରନ୍ଧ।ରୀ, ବିଧାୟକ ଉମରକୋଟ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଝରିଗାଁ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅକ୍ଷୟ ସୁନିଲ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଚୌଧୁରୀ ଶୋଭାରାଣୀ ମିଶ୍ରଙ୍କ ସହିତ ଅନ୍ୟ ଜିଲ୍ଲାସ୍ତରୀୟ ପଦଧିକାରୀ ଓ ଜଳସଂପଦ ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମନ୍ତ୍ରୀ ଶ୍ରୀ ଦାସ ଆବଶ୍ୟକ ଥିବା ଜଳଚେଚନର ସୁବିଧା କିପରି ଜିଲ୍ଲାରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇ ପାରିବ ଏବଂ ଅସମ୍ପୂର୍ଣ୍ଣ ଥିବା ଜଳ ପ୍ରକଳ୍ପ ଗୁଡ଼ିକ ତୁରନ୍ତ କିପରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ, ସେ ବିଷୟରେ ସମୀକ୍ଷା କରିଥିଲେ । ମାନ୍ୟବର ସାଂସଦ ଓ ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଷୀଭାଇମାନଙ୍କୁ କିପରି ଜଳସେଚନର ସୁବିଧା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିଶେଷ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଆଡିବନ୍ଧ କରାଗଲେ ଚାଷୀ ଅଧିକ ଉପକୃତ ହୋଇପାରିବେ ବୋଲି ମାନ୍ୟବର ସାଂସଦ ଓ ବିଧାୟକ ମତ ପୋଷଣ କରିଥିଲେ। ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଏବଂ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଓ ବିକାଶ ପାଇଁ ଜିଲ୍ଲାପାଳଙ୍କୁ ମନ୍ତ୍ରୀ ଶ୍ରୀ ଦାସ ପ୍ରଶଂସା କରିଥିଲେ । କରୋନାର ଦ୍ଵିତୀୟ ଲହରର ସଫଳ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକଙ୍କ କରକୋମଳରେ ଆସନ୍ତା କାଲି ସନ୍ଧ୍ୟା ୫.୩୦ ରେ ସମସ୍ତ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ସତନ୍ତ୍ର କୋଭିଡ ପ୍ୟାକେଜ ପ୍ରଦାନ କରିବେ। ନବରଙ୍ଗପୁର ଜିଲ୍ଲାର,୫୮୬୨୮ ଜଣ ଯୋଗ୍ୟ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କାର ସ୍ଵତନ୍ତ୍ର କରୋନା ସହାୟତା ପ୍ରଦାନ କରାଯିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ ପ୍ରକାଶ କରିଥିଲେ । ନିର୍ମାଣ ଶ୍ରମିକ ଏହି ଯୋଜନାରେ ଲାଭବାନ ସୋଇପାରିବେ । କରୋନର ଦ୍ୱିତୀୟ ଲହରରେ ୩୫୫୫ ଜଣ ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି । ସେମାନଙ୍କର ଯୋଗ୍ୟତାର ମାପକାଠି ଅନୁଯାୟୀ ସେମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାରେ ପଞ୍ଜିକରଣ କରାଯାଇ ସହାୟତା ପ୍ରଦାନ କରାଯିବ। ଏଯାବତ୍ ୨୫୪ ଜଣ ପ୍ରବାସୀ ନିର୍ମାଣ ଶ୍ରମିକଙ୍କୁ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଶେଷରେ ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।






