ପୁଅ ୨୬କୁ ଝିଅ ୧୬
ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ଲକ୍ଡାଉନ୍ ସମୟରେ ମଧ୍ୟ ନାବାଳିକା ବିବାହ ଅନୁଷ୍ଠିତ ହେବାକୁ ଯାଉଥିଲା । ଖବରପାଇ, ଚାଇଲ୍ଡ ଲାଇନ୍, ପୁଲିସ ଓ ଆସିଡିଏସ୍ କର୍ମଚାରୀ ଚଢ଼ାଉ କରି ନାବାଳିକା ବିବାହ ବନ୍ଦ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ଗତକାଲି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାକୁ ନୂଆଗାଁ ଥାନା ଅନ୍ତର୍ଗତ ଗୋହିରପାଜୁ ଗ୍ରାମର ଟ୍ରକ ଡ୍ରାଇଭର ଅଜୁ ନାୟକଙ୍କ ସହ ବିବାହ କରାଯିବାକୁ ପ୍ରସ୍ତୁତି ଚାଲିଥିଲା । ଅଜୁଙ୍କ ଗ୍ରାମ ମନ୍ଦିରକୁ ନାବାଳିକାଙ୍କୁ ନେଇ ବିବାହ କରାଯିବାକୁ ଯୋଜନା ଚାଲିଥିବା ବେଳେ ପୁଲିସ୍ ଓ ଚାଇଲ୍ଡ ଲାଇନ୍ ଖବରପାଇ ନାବାଳିକା ବିବାହକୁ ଅଟକାଇଥିଲେ । ମାତ୍ର ନାବାଳିକାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଉଦ୍ଧାର କରି ସିଡବ୍ୁ୍ୟସି ହାଜର କରାଯାଇଛି । ମିଳିଥିବା ସୂଚନାନୁସାରେ, ବିବାହ ହେବାକୁ ଥିବା ବରର ବୟସ ୨୬ ବର୍ଷ ହୋଇଥିବା ବେଳେ ନାବାଳିକାଙ୍କ ବୟସ ୧୬ ବୋଲି ଜଣାପଡ଼ିଛି । ଚାଇଲ୍ଡ ଲାଇନ ପକ୍ଷରୁ ଚନ୍ଦ୍ରଶେଖର ବେହେରା, ଦଶପଲ୍ଲା ଥାନା ଏଏସ୍ଆଇ ସୁବାଷ ଚମ୍ପତ୍ତି, ଆଇସିଡିଏସ୍ ସୁପରଭାଇଜର୍ ସ୍ୱାଗତିକା ସାଗର୍ ତନୟା ଓ ସ୍ୱର୍ଣ୍ଣଲତା ଜେନା ପ୍ରମୂଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ନାବାଳିକାକୁ ୱାନ୍ ଷ୍ଟପ୍ କେନ୍ଦ୍ରରେ ରଖାଯାଇଛି ।





