ନୟାଗଡ଼, (ବାଘୁଆବାର୍ତ୍ତା): କାଳିଆ ଅର୍ଥ କାଟିବାକୁ ନେଇ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀମାନଙ୍କର ଜୀବିକାର ଉନ୍ନତୀ ପାଇଁ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ କାଳିଆ ଯୋଜନା ପ୍ରଣୟନ କରିଥିଲେ । ଏହି ଯୋଜନାରେ ରବି ଓ ଖରିଫ ଦୁଇଟି କିସ୍ତିରେ ଦଶ ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ସରକାର ଏହି ଯୋଜନାରେ ୬୦ ପ୍ରତିଶତ ଅର୍ଥ କାଟ କରିଛନ୍ତି । ଏହା ସହିତ ଅଯୋଗ୍ୟ ହିତାଧିକାରୀ ଅର୍ଥ ପାଇଥିବା ଏବଂ ଯୋଗ୍ୟ ବାଦ ପଡ଼ିଥିବା ଅଭିଯୋଗ ହୋଇଛି ।ଏଥିସହିତ ସରକାରୀ ଚାକିରିଆ, ଉଦ୍ଦ୍ୟୋଗପତିଙ୍କ ପାଇଁ ଅର୍ଥର ଅଭାବ ନଥିବା ବେଳେ ଚାଷୀଙ୍କ ପାଇଁ କାହିଁକି ଅର୍ଥ କାଟ କରାଯାଉଛି ତାହା ଆଶ୍ଚର୍ଯ୍ୟ ବୋଲି କୃଷକ ସଂଗଠନର କର୍ମକତ୍ତା ପ୍ରଶ୍ନ କରିଛନ୍ତି । ରାଜ୍ୟର ୭୦ ଭାଗ କୃଷକଙ୍କ ହିତ ଦୃଷ୍ଟିରୁ କାଳିଆ ଯୋଜନାରେ ସଂମ୍ପୁର୍ଣ୍ଣ ଅର୍ଥ ଦେବା ସହ ଚାଷୀ ସଂଗଠନ ସହ ଦାବି କରାଯାଇଛି । ରାଜ୍ୟ ସରକାର ଅର୍ଥ କାଟିବାରୁ ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ଗତ ୨୬ ତାରିଖରୁ ଅନଶନରେ ବସିଛନ୍ତି । ଏହାକୁ ସମର୍ଥନ ଜଣାଇ ଆଜି ନୟାଗଡ଼ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।






