ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ କହିଛନ୍ତି । ଶିକ୍ଷାବିତ୍ ଓ ସମାଜସେବୀ ଡ଼ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର – ମାଇଁ ହିରୋ’ ଇଂରାଜୀ ପୁସ୍ତକ ଶୁକ୍ରବାର ଓଡ଼ିଶା ରାଜଭବନ ପରିସରରେ ଉନ୍ମୋଚନ ହୋଇଯାଇଛିି । ଉପରାଷ୍ଟ୍ରପତି କହିଛନ୍ତି, ଆମେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ପଢ଼ିଛୁ ମାତ୍ର ଜଣେ ମାଆଙ୍କ ଜୀବନୀ ଲେଖାଯିବା ନିଶ୍ଚିତ ଭାବେ ସ୍ୱତନ୍ତ୍ର ଓ ପ୍ରେରାଣାଦାୟୀ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ଗଣେଶୀଲାଲ୍ ଯୋଗଦେଇ କହିଲେ, ଆମେ କେବଳ ମାନବସେବା କରିବା ନାହିଁ, ଆମେ ମାନବିକତାକୁ ମଧ୍ୟ ପୂଜା କରିବା ଉଚିତ । ଯଥେଷ୍ଟ କମ୍ ବୟସରେ ଡ଼ ସାମନ୍ତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖିଛନ୍ତି ବୋଲି ଗଣେଷୀଲାଲ୍ କହିଥିଲେ । ସୂଚନାନୁସାରେ, ଅଚ୍ୟୁତ ସାମନ୍ତଙ୍କ ମାଆ ନୀଳିମାରାଣୀ ନିଜ ସଂଘର୍ଷମୟ ଜୀବନ ମଧ୍ୟରେ ନିଜ ପିଲାଙ୍କୁ ସଫଳ ମଣିଷ କରି ଗଢ଼ି ତୋଳିବାରେ ସକ୍ଷମ ହୋଇପାରିଛନ୍ତି ଏବଂ ମାଆଙ୍କ ଜୀବନାଦର୍ଶ ଓ ମୂଲ୍ୟବୋଧକୁ ଆଧାର କରି ଲେଖକ ଅଚ୍ୟୁତ ସାମନ୍ତ କିଭଳି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିପାରିଛନ୍ତି ତାହା ହିଁ ଏହି ପୁସ୍ତକର ନିଷ୍କର୍ଷ । ନାରୀ ଶକ୍ତିର ପ୍ରଭାବ ସେ ପିଲାଟି ବେଳୁ ଅନୁଭବ କରିଆସିଛନ୍ତି । ନାରୀଶକ୍ତି ସର୍ବଦା ସମାଜର ଉନ୍ନତି କରିଆସିଛି । ଡ଼ ଅଚ୍ୟୁତ ସାମନ୍ତଙ୍କ ପୁସ୍ତକଟି ନାରୀଶକ୍ତିକୁ କେନ୍ଦ୍ରକରି ଲେଖାଯାଇଛି । ଏହି ନାରୀଶକ୍ତିକୁ ବ୍ୟାଖ୍ୟା କରିବାକୁ ଯାଇ ଶ୍ରୀ ସାମନ୍ତ ନିଜ ମାଆଙ୍କ ଉଦାହରଣ ନେଇଛନ୍ତି । ନୀଳିମାରାଣୀ ଦେବୀଙ୍କ ଉଦ୍ୟମ, ଆଦର୍ଶ ଓ ପ୍ରେରଣା ଯୋଗୁଁ କଟ୍କ ଜିଲ୍ଲାର ନିପଟ ମଫସଲ ଗାଁଆ କଲରାବାଙ୍କ ଦେଶର ପ୍ରଥମ ଆଦର୍ଶ ଗ୍ରାମ ଓ ପରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଏବଂ ମାଣପୁର କିଭଳି ଏକ ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇପାରିଛି ସେ ସମ୍ପର୍କରେ ଏହି ପୁସ୍ତକରେ ବିଶେଷ ଆଲୋଚନା କରାଯାଇଛି । ନିଜର ଦୃଢ଼ ମନୋବଳ, ନିଷ୍ଠା, ସଂର୍ଘର୍ଷ ମଧ୍ୟରେ ଜୀବନ ଅତିବାହିତ କରି ଶେଷ ଜୀବନ ପର୍ଯ୍ୟନ୍ତ ନିଜ କନିଷ୍ଠ ପୁତ୍ର ଅଚ୍ୟୁତଙ୍କ ମାଧ୍ୟମରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଓ ସ୍ମାର୍ଟ ପଞ୍ଚାୟତ ମାଣପୁରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ । ମୋଟାମୋଟି ଭାବେ ନୀଳିମାରାଣୀ ଦେବୀଙ୍କ ସଂଘର୍ଷମୟ ଜୀବନ ସହ ଡ଼ ଅଚ୍ୟୁତଙ୍କ ପ୍ରତି ନୀଳିମାରାଣୀଙ୍କ ଅବଦାନ ହିଁ ପୁସ୍ତକର ମୁଖ୍ୟ ବିଷୟବସ୍ତୁ ଉଲ୍ଲେଖ ରହିଛି ।






