୩୦ତମ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାକୁ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମ ଟୁଡୁ ଉଦ୍ଘାଟନ କରିଥିଲେ । ଜିଲ୍ଲାର ଆଠଟି ବ୍ଲକରୁ ଆଜିର ମେଳାକୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜିଲ୍ଲାରୁ ୪୮ ପ୍ରକଳ୍ପ ଆସିଥିବା ବେଳେ ୬ଟି ପ୍ରକଳ୍ପକୁ ରାଜ୍ୟସ୍ତରକୁ ଚୟନ କରାଯାଇଥିବା ଜଣାପଡ଼ିଛି । ଏହି ଅବସରରେ ଆୟୋଜିତ ଉଦ୍ଯାପନି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ, ବିଜ୍ଞାନ ସଂଯୋଜକ ଶରତ କୁମାର ସାହୁ, ପ୍ରଧାନ ଶିକ୍ଷକ ନୀଳାଞ୍ଚଳ ସେଠି ପ୍ରମୂଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଡ. ସାହୁ ମାଟି, ପାଣି, ପବନ ଓ ପ୍ରଦୂଷଣ ଉପରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ମୁଠାଏ ମାଟି ତିଆରି ପାଇଁ ୧୦ ହଜାର ବର୍ଷ ଲାଗେ । ମାଟିର ଯେପରି ଅବକ୍ଷୟ ହେଉଛି ଏହା ଉପରେ ମନ୍ତ୍ରୀ ଟିପ୍ପଣୀ ପ୍ରଦାନ କରି ସାରା ବିଶ୍ୱ ଆଜି ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେହିପରି ଭାବେ ପାଣିର ଅପବ୍ୟବହାର ଯେଉଁପରି ଭାବେ ହେଉଛି ଆଗାମୀ ଦିନରେ ଭୟଙ୍କର ବାତାବରଣ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଦୂଷଣ ମାତ୍ର ଏଭଳି ବୃଦ୍ଧି ପାଉଛି ଯାହାକୁ ରୋକିବାକୁ ଚାହିଁଲେ ବି ରୋକି ହେଉନାହିଁ । ଏଥିପାଇଁ ସଭ୍ୟ ସମାଜର ଅନ୍ୟମନସ୍କତା ତଥା ସଚେତନତାର ଅଭାବ ହିଁ ଦାୟୀ । ବିଜ୍ଞାନ ଉଦ୍ଭାବନ ଯେତିକି ମାତ୍ରରେ ହେଉଛି, ତାହାର ଆବଶ୍ୟକତା ମଧ୍ୟ ରହିଛି । ମାତ୍ର ଏହାକୁ ସଠିକ ଦିଗରେ ଉପଯୋଗ ପାଇଁ ଶହେ ଗୁଣ ସଚେତନତା ଆବଶ୍ୟକ । ମନୁଷ୍ୟ ସମାଜ ପ୍ରକୃତ୍ତିକୁ ବିନିଯୋଗ ନକରି ଅଜଣା ଓ ଅନାବଶ୍ୟକ କାର୍ଯ୍ୟ କରୁଛି । ଆଧୁନିକ ସମାଜରେ ସୁଖ ସ୍ୱାଚ୍ଛନ୍ଦରେ ରହୁଥିବା ଲୋକ ତା ଜ୍ଞାତ ସାରରେ ଅଥବା ଅଜ୍ଞାତ ସାରରେ ଏଭଳି ଭୁଲ କରୁଛି, ଯାହା ଆଜି ପ୍ରଦୂଷଣ ହୋଇ ସମାଜକୁ ନଷ୍ଟ କରୁଛି । ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ଛଅ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୁତ କରାଯାଇଥିଲା ।






