ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ସାମାନ୍ୟ କଥାକୁ ନେଇ ଘଟିଲା ଗଣ୍ଡଗୋଳ । ଗଣ୍ଡଗୋଳ ଏତେ ତୀବ୍ର ହେଲା ଯେ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲଗଡ଼ ଥାନା ଅନ୍ତର୍ଗତ ଝାନ୍ସି ପାଟଣା ଗ୍ରାମରେ । ସୂଚନାଯୋଗ୍ୟ ଯେ, ଝାନ୍ସି ପାଟଣା ଗ୍ରାମର ପ୍ରତାପ ସେଠୀ ଏବଂ ସିଦ୍ଧେଶ୍ୱର ବେହେରାଙ୍କ ମଧ୍ୟରେ ଜାତିଆଣ ଆକ୍ଷେପକୁ ନେଇ ଯୁକ୍ତିତର୍କ ଏବଂ ବଚସା ହୋଇଥିଲା । ପରେ ସିଦ୍ଧେଶ୍ୱର ଏବଂ ତାଙ୍କ ସାଥି ମାନଙ୍କ ଆକ୍ରମଣରେ ପ୍ରତାପଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତାପଙ୍କ ପୁଅ ଦୀପୁ ସେଠୀ ଗୁରୁତର ଭାବେ ଆହତ ହୋଇଛି । ପୋଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ମେଡିକାଲ ପଠାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ସିଦ୍ଧେଶ୍ୱରଙ୍କ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଅଟକ ରଖିଛି । ଅପରପକ୍ଷରେ ତ୍ବରିତ ନ୍ୟାୟ ଦେବା ସହ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟବାସିନ୍ଦା ଏବଂ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି ।