ନୟାଗଡ଼, (ବାଘୁଆବାର୍ତ୍ତା): ସିମୁଳିଆ ଥାନା ଗରସଙ୍ଗ ଗ୍ରାମର ଗଜେନ୍ଦ୍ର ଦାସଙ୍କ କନ୍ୟା ବର୍ଷାଙ୍କ ମୃତ୍ୟୁ ଘଟଣାର ରହସ୍ୟ ଧୀରେ ଧୀରେ ଖୋଲିବାକୁ ଯାଉଛି । ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଆଲୋକ ଜେନାକୁ ସିମୁଳିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଗରସଙ୍ଗ ଗ୍ରାମର ଗଜେନ୍ଦ୍ର ଦାସଙ୍କ ଝିଅ ବର୍ଷା(୨୬)ଙ୍କ ସହିତ ଭଦ୍ରକ ଅଞ୍ଚଳର ରାଧାକାନ୍ତ ଜେନାଙ୍କ ପୁତ୍ର ଆଲୋକଙ୍କ ସହ ମେ ୧୨ ତାରିଖରେ ବୈଦିକ ରୀତିରେ ବିବାହ ହେବାକୁ ସ୍ଥିର ହୋଇଥିଲା । ତେବେ ବିବାହ ପୂର୍ବରୁ ଗତ ୧୯ ତାରିଖ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ବର୍ଷାଙ୍କ ଘରକୁ ଆଲୋକ ଆସିଥିଲେ । କିଛି ସମୟ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା କରିଥିଲେ । ଏହାପରେ ବର୍ଷାଙ୍କୁ ଆପ୍ରୋନ ସାହାଯ୍ୟରେ ଆଲୋକ ହତ୍ୟା କରିଥିଲା ।ଏହି ଘଟଣା ଘଟାଇ ପରିବାର ଲୋକଙ୍କୁ ସେ ଡାକିଥିଲେ । ଡାକଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ବର୍ଷାଙ୍କୁ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ବର୍ଷାଙ୍କୁ ମୃତ ଘୋଷଣା କରିବା ପରେ ଆଲୋକ ଡାକ୍ତର ଖାନାରୁ ଖସି ପଳାଇ ଯାଇଥିଲେ । ଗତକାଲି ସକାଳେ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ଏନେଇ ଥାନା କେସ ନଂ.୮/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ବର୍ଷାଙ୍କ ବାପା ଗଜେନ୍ଦ୍ର ଥାନାରେ ଝିଅକୁ ଆଲୋକ ହତ୍ୟା କରିଥିବା ଅଭିଯୋଗ କରିବା ପରେ ପୁଲିସ କେସ ନଂ.୯୯/୨୧ରେ ହତ୍ୟା ମାମଲା ରୁଜୁ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ଆଲୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।





