ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରତନେଇ ଅଞ୍ଚଳରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ପାଟପୁର ପୋଲିସକୁ ସଫଳତା । ପ୍ରେମ ସଂପର୍କରୁ ଘଟିଥିଲା ହତ୍ୟାକାଣ୍ଡ । ବିବାହ କରାଇବା ପାଇଁ ମଧ୍ୟସ୍ତି ସାଜିଥିବା ବ୍ୟକ୍ତିଙ୍କୁ ଭଲପାଇବା ପଡିଲା ମହଙ୍ଗା । ଗତ କିଛି ଦିନ ତଳେ ସୁମନ୍ତପୁର ଗ୍ରାମର ଦୁର୍ଯ୍ୟୋଧନ ଗୌଡ ଏବଂ ତାଙ୍କ ସ୍ତ୍ରୀ ସୁଦଷ୍ଣା ଗୌଡ ପାଟପୁର ଥାନାକୁ ଆସି ଜଣାଇଲେ ଯେ ତାଙ୍କ ବଡ଼ ଝିଅ ଗତ ମାର୍ଚ୍ଚ ୮ତାରିଖରୁ ନିଖୋଜ ଅଛି । ବହୁ ଖୋଜା ଖୋଜି କଲା ପରେ ବି କୌଣସି ସନ୍ଧାନ ପାଉନାହାନ୍ତି । ଏହାପରେ ଉକ୍ତ ଅଜଣା ମହିଳାଙ୍କ ଗଳିତ ଶବ ନିକଟରୁ ମିଳିଥିବା ଲୁଗାପଟା ଦେଖାଇବାରୁ ସେମାନେ ସେହି ଲୁଗାପଟା ଗୁଡ଼ିକ ତାଙ୍କ ଝିଅର ବୋଲି ଅନୁମାନ କରିଥିଲେ । ଏହାପରେ ରକ୍ତ ନମୁନା ସଂଗ୍ରହ କରାଯାଇ DNA ଟେଷ୍ଟ ପାଇଁ ପଠାଯାଇଥିଲା । DNA ରିପୋର୍ଟରୁ ଜଣାପଡିଥିଲା ଯେ ଉକ୍ତ ଅଜଣା ଗଳିତ ଶବଟି ସୁମନ୍ତପୁର ଗ୍ରାମର ଦୁର୍ଯ୍ୟୋଧନ ଗୌଡ ଏବଂ ସୁଦଷ୍ଣା ଗୌଡଙ୍କ ଝିଅ ବନୀତା ଗୌଡ଼ଙ୍କର । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଲା ଯେ, ମୃତ ବନୀତାଙ୍କର ବିବାହରେ ବିଳମ୍ବ ହେବାରୁ ତାଙ୍କ ପାରିବାର ଲୋକ ଆମ୍ବଗାଁର ଡାକ ଭୂୟାଁ ନାମକ ଜଣେ ଲୋକକୁ ଝିଅର ବିବାହ ଠିକ୍ କରାଇଦେବା ପାଇଁ ଦାୟିତ୍ବ ଦେଇଥିଲେ । ଏହି ବିବାହ ବିଷୟରେ କଥା ହେବା ବାହାନାରେ ଡାକ ଭୂୟାଁ ତାଙ୍କ ଘରକୁ ବାରମ୍ବାର ଯିବା ଆସିବା କରୁଥିଲା । ତାଙ୍କ ଝିଅ ସହିତ ମଧ୍ୟ ଫୋନରେ ବାରମ୍ବାର କଥା ହେଉଥିଲା । ଡାକ ଭୂୟାଁ ତାଙ୍କ ଝିଅ ସହିତ କଥା ହେବା ପାଇଁ ତାକୁ ଗୋଟିଏ ମୋବାଇଲ ଫୋନ୍ ଦେଇଥିଲା । ଧୀରେ ଧୀରେ ଡାକ ଏବଂ ଝିଅ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ସେମାନେ ଲୁଚିକି ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ ଏବଂ ଦୁହେଁ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ତେଣୁ ଡାକର ଘରେ ସବୁବେଳେ ଅଶାନ୍ତି ଲାଗିରହୁଥିଲା । ଘଟଣା ଦିନ ଅର୍ଥାତ ମର୍ଚ୍ଚ ୮ ତାରିଖରେ ଡାକ ଭୂୟାଁ ଝିଅକୁ ନିଜ ରାସ୍ତାରୁ ହଟାଇବା ପାଇଁ ଗୋଟିଏ ଯୋଜନା କରି ରତନେଈ ମନ୍ଦିର ଯିବାକୁ କହି ତାକୁ ଡାକିଥିଲା । ଝିଅଟି ଆସିବା ବେଳେ ତାଙ୍କ ପଡ଼ିଶା ଘରୁ କିଛି ଗହଣା ମାଗି ପିନ୍ଧିକରି ଆସିଥିଲା । ଡାକ ଭୂୟାଁ ଝିଅକୁ ଗଙ୍ଗାପୁର ରାସ୍ତାର ଶଙ୍ଖ ପାଖରୁ ନିଜ ସାଇକେଲରେ ବସାଇ ରତନେଇ ମନ୍ଦିର ଆଡକୁ ଯାଇଥିଲେ । ସେମାନେ ତଳେ ସାଇକେଲ ରଖି ପାହାଡ ଉପର ମନ୍ଦିର ରାସ୍ତାରେ ଚାଲିଚାଲି କିଛି ବାଟ ଯିବା ପରେ ବାମ ପଟେ ରାସ୍ତା ତଳକୁ ଖସି ଜଙ୍ଗଲ ଭିତରେ ଏକ ପଥର ଚଟାଣ ଉପରେ ବସିଥିଲେ । ସେଠାରେ ଡାକ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଥିଲା ଏବଂ ପରେ ଝିଅକୁ ଏକ ରଶି ସାହାଯ୍ୟରେ ହତ୍ୟା କରିଥିଲା । ଏହାପରେ ଡାକ ସେ ଝିଅ ପିନ୍ଧିଥିବା ଅଳଙ୍କାର ସବୁ ଖୋଲି ନେଇ ଯାଇଥିଲା । ଏହାପରେ ପୋଲିସ ଡାକ ଭୂୟାଁକୁ ଗିରଫ କରି ତାପାଖରୁ ସେହି ଅଳଙ୍କାର ଏବଂ ମୋବାଇଲ ଫୋନ୍ ଜବତ କରିଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ଅସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି।





