ଭୁବନେଶ୍ୱର, (ବାଘୁଆବାର୍ତ୍ତା): କଲେଜ ପଢିବା ବେଳରୁ ପ୍ରିୟଙ୍କା ଏବଂ ଜଗନ୍ନାଥଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା । ପ୍ରିୟଙ୍କାଙ୍କ ବିବାହ ପରେ ଉଭୟେ ଦୂରେଇ ଯାଇଥିଲେ । ଜଗନ୍ନାଥ ବେଙ୍ଗାଲୁରୁ ପଳାଇଯାଇଥିଲେ । ଗତବର୍ଷ ଲକ୍ଡାଉନ୍ ବେଳେ ଘରକୁ ଫେରିଥିଲେ ଜଗନ୍ନାଥ । ପୁଣି ଥରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟେ ଘଣ୍ଟା ଘଣ୍ଟା ଧରି କଥା ବି ହେଉଥିଲେ । ଏମିତି କିଛିଦିନ ଚାଲିବା ପରେ ପୁଣି ସମ୍ପର୍କରେ ଫାଟ ସୃଷ୍ଟି ହେଲା । ସଂପର୍କରେ ତିକ୍ତତା ଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡା ବି ଆରମ୍ଭ ହୋଇଥିଲା । ଶେଷରେ ସବୁ ସୀମା ଲଙ୍ଘିଥିଲେ ଜଗନ୍ନାଥ । ପ୍ରଥମେ ପ୍ରିୟଙ୍କାଙ୍କ ପୁଅକୁ ମାରିବା ପରେ ତାଙ୍କୁ ମାରି ନିଜେ ଆତ୍ମହତ୍ୟା କରିବାର ପ୍ଲାନ୍ ଥିଲା ଜଗନ୍ନାଥଙ୍କର । ହେଲେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଜଗନ୍ନାଥ । ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ମେଡିକାଲରେ । ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ମହିଳା ପ୍ରିୟଙ୍କାଙ୍କୁ ବୀଭତ୍ସ ହତ୍ୟା ପଛର ଗୁମର ଧୀରେ ଧୀରେ ଖୋଲିବାରେ ଲଗିଛି । ପ୍ରେମିକ ତଥା ହତ୍ୟାକାରୀ ଜଗନ୍ନାଥ ପ୍ରଧାନର ‘ହ୍ବାଟସ୍ ଅପ୍ ଚାର୍ଟ’ ଏୟାରଫିଲ୍ଡ ଥାନା ପୋଲିସ ହାତରେ ଲାଗିଥିଲା । ଏହାବାଦ ଜଗନ୍ନାଥର ପରିବାର ଲୋକ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିଲେ । ଯେଉଁଥିରୁ ପ୍ରେମ ସମ୍ପର୍କରେ ତିକ୍ତତା ଯୋଗୁଁ ଜଗନ୍ନାଥ ଏମିତି କାଣ୍ଡ ଭିଆଇଥିବା ପୋଲିସ ସନ୍ଦେହ କରୁଛି । ଜଗନ୍ନାଥଙ୍କ ମା’ ବି କହିଥିଲେ ଜଗନ୍ନାଥଙ୍କର ପ୍ରିୟଙ୍କାଙ୍କ ସହ ପ୍ରେମ ସଂପର୍କ ଥିଲା । ସେପଟେ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଥିଲେ ଯେ, ଉଭୟ ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ବିବାହ ପୂର୍ବରୁ ପରସ୍ପରକୁ ଜାଣିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଥିଲା । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ଘଟଣା ଘଟାଇଛି । ତା’ର ପ୍ରଥମ ଟାର୍ଗେଟ୍ ଥିଲା ମୃତ ମହିଳାଙ୍କ ୩ ବର୍ଷର ପୁଅ । ତା’ପରେ ସେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥା’ନ୍ତା । ଡିସିପି ଆହୁରି କହିଥିଲେ ଯେ, ପ୍ରିୟଙ୍କାଙ୍କ ଘରେ ଅଭିଯୁକ୍ତ ଜୋର୍ ଜବରଦସ୍ତ ପଶିବାର କୌଣସି ପ୍ରମାଣ ମିଳିନାହିଁ । ପୋଲିସ ତଦନ୍ତକୁ ବଢ଼ାଇ ସ୍ୱାମୀ ରାକେଶଙ୍କ ସହ ଘର ମାଲିକ ଓ ରାକେଶଙ୍କ ସହକର୍ମୀଙ୍କ ବୟାନ ରେକର୍ଡ କରାଇଛି । ଅନ୍ୟପଟେ ଅଭିଯୁକ୍ତ ଜଗନ୍ନାଥର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ୱାର୍ଡରେ ଚିକିତ୍ସା ଚାଲିଛି । ତେବେ ଜଗନ୍ନାଥଙ୍କ ଅବସ୍ଥା ପୁରା ସୁଧୁରିନଥିବାରୁ ହସ୍ପିଟାଲ ଯାଇଥିବା ପୋଲିସ ଟିମ୍ ତାକୁ ଜେରା ନ କରି ଫେରି ଆସିଛି । ସୁସ୍ଥ ହେବା ପରେ ପୋଲିସ ନିଜ ହେପାଜତକୁ ନେଇ ପଚରାଉଚରା କରିବ । ସେପଟେ ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ୱାମୀ ରାକେଶ ଓ ଶ୍ୱଶୁରଙ୍କ ସହ ପ୍ରିୟଙ୍କାଙ୍କ ଭାଇ କ୍ୟାପିଟାଲ ହସ୍ପିଟାଲରୁ ମୃତଦେହ ନେଇଛନ୍ତି । ତାଙ୍କ ଗାଁରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।





