ନୟାଗଡ଼ (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ବଡ଼ପଣ୍ଡୁସର ପଂଚାୟତ ସୁନାଲଟିଠାରେ କୁସୁମୀ ପ୍ରକଳ୍ପ ପାଇଁ ୧୮୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ୬୭ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାରେଜ ନିର୍ମାଣ କାମ ଆରମ୍ଭ ହୋଇଛି । ଏହା ଦ୍ୱାରା ୩ ହଜାର ୭୮୦ ହେକ୍ଟର ଜମି ଜଳସେଚିତ ଏବଂ କୁସମୀ ପ୍ରକଳ୍ପ ଦ୍ୱାରା ନୟାଗଡ଼ ବ୍ଲକର ସୁନାଲଟି, କୃଷ୍ଣପ୍ରସାଦ, ନୂଆଗାଁ, ବିରୁଡ଼ା, ସରପଡ଼ା, ରାମଚନ୍ଦ୍ରପୁର, ହରେକୃଷ୍ଣପୁର, ପୁରୁଷୋତ୍ତମ ପୁର, ମୃତ୍ୟୁଞ୍ଜୟପୁର, ଗୋଡ଼ିପାଟଣା, ଜହ୍ନିପଦା, ବିଜିପୁର, ବାଉଁଶଗାଡ଼ିଆ, ବଡ଼ପଣ୍ଡୁସର, ତୁଳସିପୁର ସମେତ ଖଣ୍ଡପଡ଼ା ଓ ଭାପୁର ବ୍ଲକର ମୋଟ ୩୮ ଗ୍ରାମର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଏଥିରେ ନୟାଗଡ଼ ବ୍ଲକର ୨ହଜାର ୬୮ ହେକ୍ଟର, ଖଣ୍ଡପଡ଼ା ବ୍ଲକର ୭୪୦ ହେକ୍ଟର, ଭାପୁର ବ୍ଲକର ୧୯୨ ହେକ୍ଟର ଜମି ଜଳସେଚିତ ହୋଇପାରିବ । ଏହାର ଆଜି ଶିଳାନ୍ୟାସ ପର୍ବ ଶେଷ ହୋଇଥିବା ବେଳେ ଆୟୋଜିତ ସଭାରେ ନୟାଗଡ଼ ଜିଲ୍ଲାବାସୀଙ୍କ ତରଫରୁ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁନଜରରେ ସବୁବେଳେ ନୟାଗଡ଼ ରହିଥିବାରୁ ଏହା ସମ୍ଭବ ହୋଇ ପାରିଛି ବୋଲି ସେ ଜଣାଇଛନ୍ତି ।





