ଭୁବନେଶ୍ୱର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉତ୍ପାଦଗୁଡ଼ିକର ପ୍ରୋତ୍ସାହନ ନିମନ୍ତେ ଆଇଟି ଜ୍ଞାନକୌଶଳର ଉପଯୋଗ କରିବାକୁ ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପରାମର୍ଶ ଦେଇଛନ୍ତି । ଆଜି ରତ୍ପାନୀ ଭବନଠାରେ ରତ୍ପାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର କାର୍ଯ୍ୟକ୍ରମ ସମୀକ୍ଷାବେଳେ ସେ ଏହା ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ମେସର୍ସ ଭାଲେଣ୍ଟିନା ପାଇପସ୍, ମେସର୍ସ ଟେରା ବ୍ଲକ୍ ମେସିନାରୀ ପ୍ରା. ଲିଃ ଏବଂ ମେସର୍ସ ସୁପରକ୍ଲୋଜରର ଉଦ୍ୟୋଗୀମାନଙ୍କୁ ସାକ୍ଷାତ ଦେଇ ତାଙ୍କ ସହ ବାର୍ତ୍ତାଳାପ କରିଥିଲେ । ଉଦ୍ୟୋଗୀମାନେ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ପାଉଥିବା ସହାୟତା ସନ୍ତୋଷଜନକ ଥିବା ମନ୍ତ୍ରୀଙ୍କୁ କହିଥିଲେ । ସେମାନେ ତାଙ୍କର ଉତ୍ପାଦଗୁଡ଼ିକର ବିକି୍ରବଟା ନିମନ୍ତେ ଅଧିକ ବଜାର ସୁବିଧା ଯୋଗାଇଦେବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଏ ସଂପର୍କରେ ଅନ୍ୟ ବିଭାଗଗୁଡ଼ିକ ସହ ଆଲୋଚନା କରି ଏ ଦିଗରେ ଅଧିକ ସଫଳତା ପାଇଁ ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରି କି ଏମ୍ଏସ୍ଏମ୍ଇ ଉତ୍ପାଦଗୁଡ଼ିକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରି ସେଥିରେ ଉଭୟ ଘରୋଇ ଏବଂ ବିଦେଶୀ କ୍ରେତାଙ୍କୁ ନିମନ୍ତ୍ରଣ କରିବାକୁ ପଦକ୍ଷେପ ନେବାକୁ କହିଥିଲେ । ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ଇନ୍ଭେଷ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦୀପକ ବାଘ୍ଲାଙ୍କୁ ନିମନ୍ତ୍ରଣ କରି ଓଡ଼ିଶାର ଏମ୍ଏସ୍ଏମ୍ଇ ଉତ୍ପାଦର ଉତ୍ତମ ବଜାର ସକାଶେ ଦିଗ୍ଦର୍ଶନ ଦେବା ସହ ମାର୍କେଟିଂ ପାଇଁ ଏକ ରୋଡ଼୍ମ୍ୟାପ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଏମ୍ଏସ୍ଏମ୍ଇଗୁଡ଼ିକ ଉନ୍ନତ ମାନର ଉତ୍ପାଦ ନିର୍ମାଣ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ଫଳରେ ଏହା ଜେମ୍(ଐeM)ରେ ସାମିଲ ହୋଇପାରିବ । ସେହିପରି ସରକାରୀ ବିଭାଗଗୁଡ଼ିକ ଇ-ଗଭର୍ଣ୍ଣାନ୍ସ ପ୍ରଚଳନ କରିବା ଆବଶ୍ୟକ ବୋଲି କହିଥିଲେ । ଆଜିର ଏହି ସମୀକ୍ଷାବେଳେ ଶିଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ ଏମ୍ଏସ୍ଏମ୍ଇ ବିଭାଗ ଏବଂ ନିର୍ଦ୍ଦେଶାଳୟର ସମସ୍ତ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।





