ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ବିଶେଷକରି ତାଙ୍କର ହେଲିକପ୍ଟର ଶଟ୍ ଅଧିକ ଚର୍ଚ୍ଚା ସାଉଁଣ୍ଟିଛି । ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚରେ ଧୋନି ଏଭଳି ଏକ କାରନାମା କରିଛନ୍ତି, ଯାହା ସେ ପୂର୍ବରୁ କେବେ କରିନଥିଲେ । କେକେଆର ବିପକ୍ଷ ମ୍ୟାଚରେ ଚେନ୍ନାଇ ବ୍ୟାଟସମ୍ୟାନ ମୋଇନ ଅଲୀ ଆଉଟ ହେବା ପରେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ । ଚେନ୍ନାଇ ଇନିଂସର ୧୭ତମ ଓଭର ପଞ୍ଚମ ବଲରେ ଧୋନି ଚୌକା ମାରିଥିଲେ । ଏହି ଚୌକା ସେ କେଆର ସ୍ପିନର ସୁନୀଲ ନରିନଙ୍କ ବଲରେ ମାରିଥିଲେ । ନରିନଙ୍କ ବଲରେ ଧୋନି ଏହା ପୂର୍ବରୁ କେବେବି ବାଉଣ୍ଡ୍ରୀ ମାରିବାରେ ସଫଳ ହୋଇନଥିଲେ । ଏହି ଚୌକା ମାରିବା ପାଇଁ ଧୋନିଙ୍କୁ ୬୫ ବଲ ଅପେକ୍ଷା କରିବାକୁ ପଡିଥିଲା । ଏହାର ଅର୍ଥ ଧୋନି ଆଇପିଏଲ ଇତିହାସରେ ପ୍ରଥମଥର ନରିନଙ୍କ ବଲରେ ବାଉଣ୍ଡ୍ରି ମାରିଛନ୍ତି ।





