କୋଲକାତା (ବାଘୁଆବାର୍ତ୍ତା) ସମାଜର ଦିଗ ଦିନକୁ ଦିନ ପରିବର୍ତ୍ତନ ହେବାକୁ ଲାଗିଛି । ନିଜେ ଜନ୍ମ ଦେଇଥିବା ମା’ କିପରି ନିଜ ଝିଅର ଗଳା କାଟି ହତ୍ୟା କରିଛି ଏହା ସମସ୍ତଙ୍କୁ ଚକିତ କରିଛି । ପନିକିରେ ନାବାଳିକା ଝିଅର ଗଳା କାଟି ହତ୍ୟା କଲା ମା’ । ପୂର୍ବ ମେଦିନୀପୁର କେଜୁରି ଥାନା ବିଦ୍ୟାପୀଠ ମୋଡ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ମା’ ନିଜେ ବଜାରରେ ଚିଲ୍ଲାଇ କହିଥିଲା ଯେ, ସେ ତାର ଝିଅକୁ ହତ୍ୟା କରିଛି । ଲୋକେ ଯାଇ ତାର ଘରେ ଦେଖିଥିଲେ ୯ ବର୍ଷର ଝିଅର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇପଡିଛି । ମୃତଦେହ ରକ୍ତାକ୍ତ ଅବସ୍ଥାରେ ବିଛଣାରେ ପଡିଥିଲା । ପୁଲିସ ଅଭିଯୁକ୍ତ ମହିଳା ସାଗରିକା ପାତ୍ରକୁ ଅଟକ ରଖିଛି । ସାଗରିକାଙ୍କ ସ୍ୱାମୀ ବିଶ୍ୱଜିତ୍ ପାତ୍ର ମୋବାଇଲ୍ ରିପ୍ୟାରିଂ କରନ୍ତି । ତାଙ୍କର ୯ ବର୍ଷର ଝିଅ ମାନସିକ ବିକୃତ ଥିଲା ବୋଲି ଅଞ୍ଚଳବାସୀ କହିଛନ୍ତି ।ତେବେ ଝିଅକୁ ହତ୍ୟା ପଛର କାରଣ କଣ ପୁଲିସ ଜାଣିବାକୁ ଚାହିଁଛି । ଏନେଇ ଜୋରଦାର ତଦନ୍ତ କରୁଛି ପୁଲିସ ।






