ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ବିଧାନସଭା ବଜେଟ ଉପସ୍ଥାପନ ପରିପ୍ରେକ୍ଷୀରେ ମୋହନ ସରକାର ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ମୋହର ମାରି ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭଦ୍ରକ ଜିଲ୍ଲା ଏବଂ ନୟାଗଡ଼ ଜିଲ୍ଲା ଭୌଗଳିକ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସମାନ । ଏକଦିନରେ ଜିଲ୍ଲାର ମାନ୍ୟତା ପାଇଥିଲା । ତେବେ ଉଭୟ ଜିଲ୍ଲାର ଜନସାଧାରଣ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବୀ ଉଠାଉଥିଲେ । କିନ୍ତୁ ବିଜେପି ସରକାର ପାତରଅନ୍ତର ନୀତି ଆପଣାଇ ନୟାଗଡ଼ ଜିଲ୍ଲାବାସୀଙ୍କୁ ଭଣ୍ଡେଇ ଦେଇଛନ୍ତି ବୋଲି ନୟାଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ରଣଜିତ ଦାଶ ଟୁଇଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଯେତେବେଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଥା କହୁଥିଲେ ସେତେବେଳେ ଆମ ଜିଲ୍ଲାର ଚାରି ଚାରି ଜଣ ଲୋକ ପ୍ରତିନିଧି ନୟାଗଡ଼ ମେଡିକାଲ କଲେଜ ଦାବୀ ଉପସ୍ଥାପନ ନକରାଇବା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି । ନୟାଗଡ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପ୍ରସଙ୍ଗରେ ବିଜେପି ନିର୍ବାଚନ ପ୍ରତିଶୃତି ଦେଇଥିଲା କିନ୍ତୁ ଏବେ ଜିଲ୍ଲାବାସୀଙ୍କୁ ବିଜେପି ସରକାର ଅଣଦେଖା କରୁଛି ବୋଲି କଂଗ୍ରେସ ନେତା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲାରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦବଦବା ଥିବାରୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ସଫଳ ହୋଇଥିଲା ବେଳେ ଆମ ଜିଲ୍ଲାରେ ମାନନୀୟା ବାଚସ୍ପତି ଜିଲ୍ଲାରେ ମେଡିକାଲ କଲେଜ ପ୍ରସଙ୍ଗରେ ଫେଲ ମାରିଛନ୍ତି । ସରକାର ଜିଲ୍ଲାର ସ୍ୱାସ୍ଥ୍ୟସେବା ବିକାଶ ପ୍ରକ୍ରିୟାରେ ବାଧକ ସାଜିଛନ୍ତି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ନୟାଗଡ଼ ଜିଲ୍ଲାବାସୀଙ୍କ ହକ ପାଇଁ ଜିଲ୍ଲାରେ ବିସ୍ତାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ କଂଗ୍ରେସ ଦଳ ପ୍ରାକ ପ୍ରସ୍ତୁତି କରି ପ୍ରତ୍ୟେକ ନେତା କାରୟୟ୍। କର୍ତ୍ତାଙ୍କ ସହଯୋଗରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ମୁଖ୍ୟ ଡାକ୍ତରାଖାନା ଆଗରେ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ ରାଜରାସ୍ତାରେ ଲଢେଇ କରିବ ବୋଲି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧି ବନ୍ଧୁଙ୍କୁ ପ୍ରେସବାର୍ତ୍ତାରେ କହିଛନ୍ତି ।





