ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): : ଦଶପଲ୍ଲା ଅଞ୍ଚଳର ୧୩ଗୋଟି ବଣିକ ସଂଘକୁ ନେଇ ଗଠିତ ମହାବୀର ବଣିକ ମହାସଂଘ ୯ମ ବାର୍ଷିକ ଉତ୍ସବ ତାର ନିଜସ୍ୱ ଗୃହ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ଅଲେଖ ସାହୁ ମହାସଂଘର ପତାକା ଉତ୍ତୋଳନ କରିଥିଲେ । ୮୫୦ଜଣରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଭାଇମାନଙ୍କ ଉଦ୍ଦେଶ୍ୟରେ ଉଦ୍ଘାଟନୀ ସଭାପତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଆନୁଷ୍ଠାନିକ ଭାବେ ଶ୍ରୀ ମହାବୀରଙ୍କ ଫଟୋଚିତ୍ରରେ ଧୂପ,ଦୀପ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସାମାନ୍ୟ ଜଳଯୋଗର ବିରତି ପରେ ପ୍ରତ୍ୟେକ ବସାର ସଂଘର କର୍ମକର୍ତ୍ତା ସେମାନଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହିତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଜିଏସ୍ଟିର ସାମୟିକ ପରିବର୍ତ୍ତନ, ରିଟର୍ଣ୍ଣ ଦାଖଲ ଆଦି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଦିବଂଗତ ବ୍ୟବସାୟୀ ବନ୍ଧୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସଙ୍ଗେ ସଙ୍ଗେ ବିଜୟ କୁମାର ସୁବୁଦ୍ଧି, ଦୟାନିଧି ସାହୁ ୨ଜଣଙ୍କୁ ସେମାନଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ବେହେରା ମହାସଂଘର କାର୍ଯ୍ୟାଳୟ ଗୃହ ପାଇଁ ଏମ୍ଏଲ୍ଏ ପାଣ୍ଠିରୁ ଆବଶ୍ୟକ ଅନୁଦାନ ଦେବାକୁ ଘୋଷଣା କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ଓଡ଼ଗାଁ ବ୍ଲକ୍ ବାହାଡ଼ାଝୋଲା ମହାଲକ୍ଷ୍ମୀ ବଜାର ସଂଘ ସଭାପତି ସତ୍ୟବ୍ରତ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ସହ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଉପଦେଷ୍ଟା ସଜ୍ଜନ କୁମାର ରାୟ, ଉପସଭାପତି ଉମାକାନ୍ତ ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।






