ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିପର୍ୟ୍ୟ ମୁକାବିଲାରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଏବଂ ପରିଚାଳନାକୁ ତଦାରଖ ପରେ ମୋଦି ଭୂରୀ ଭୂରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଓ ରଣନୀତି ଯୋଗୁଁ ସର୍ବନିମ୍ନ ଜୀବନ ନଷ୍ଟ ହୋଇଛି । ଏବଂ ପ୍ରାକୃତିକ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦୀର୍ଘକାଳୀନ ପ୍ରଶମନ ଉଦ୍ୟମ ସବୁବେଳେ ସଫଳ ହେଉଛି ବୋଲି କହିଛନ୍ତି ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ‘ୟାସ୍’ କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଦେଖି ସମୀକ୍ଷା ପରେ ପରେ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ମୋଦି । ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ବାତ୍ୟା କ୍ଷୟକ୍ଷତି ସହାୟତା ଯୋଗାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ବିପର୍ୟ୍ୟୟର ଅଧିକ ମୁକାବିଲା ପାଇଁ ବୈଜ୍ଞାନିକ ପରିଚାଳନା ଦିଗରେ ଫୋକସ କରିବାକୁ ହେବ। ଆରବ ସାଗର ଏବଂ ବଙ୍ଗୋପସାଗରରେ ସାଇକ୍ଲୋନିକ୍ ସିଷ୍ଟମର ଆବୃତ୍ତି ଏବଂ ପ୍ରଭାବ ବଢ଼ୁଥିବାରୁ ଯୋଗାଯୋଗ ପ୍ରଣାଳୀ, ପ୍ରଶମନ ପ୍ରୟାସ ଏବଂ ପ୍ରସ୍ତୁତି କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିବାକୁ ପଡିବ । ସୂଚନାନୁସାରେ, ଓଡିଶାରେ ଯେତେଗୋଟି ପ୍ରାକୃତିକ ବିପର୍ଯ୍ୟୟ ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତି ସହଜର ସହ ଏହାକୁ ସମାଧାନ କରିପାରିଛନ୍ତି ।






