ଧର୍ମଗଡ଼, (ବାଘୁଆବାର୍ତ୍ତା): ପ୍ରଧାନମନ୍ତ୍ରୀଙ୍କ ମନକି ବାତରେ କଳାହାଣ୍ଡିର ପଟାୟତ ସାହୁଙ୍କ କଥା। ଜୀବନର ୩୫ ବର୍ଷର ପରିଶ୍ରମ ଯୋଗୁଁ ସୃଷ୍ଟି କରିପାରିଛନ୍ତି ଏକ ନିଆରା ଉଦାହରଣ। ନିଜର ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ୧ ଏକର ବାଡିରେ ୨୫୦୦ରୁ ଉର୍ଦ୍ଧ୍ୱ ପ୍ରଜାତିର ଔଷଧିୟ ବୃକ୍ଷ ରୋପଣ କରି ସୃଷ୍ଟି କରିଛନ୍ତି ଏକ ନୂତନ ଉଦାହରଣ। ମନ କି ବାତ୍ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଟାୟତଙ୍କ ଏହି ମହାନ କାର୍ୟ୍ୟର ଭୂୟସୀ ପ୍ରସଂସା କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ନାନ୍ଦୋଲ୍ ଗାଁରେ ରହିଛି ପଟାୟତ ସାହୁଙ୍କ ନିଜର ଘରର ବାଡି। ଦୀର୍ଘ ୩୫ ବର୍ଷ ଧରି ସେ ଭାରତବର୍ଷର ବିଭିନ୍ନ ଜାଗାରୁ ସେ ସଂଗ୍ରହ କରିଛନ୍ତି ଏହି ବିରଳ ଆୟୁର୍ବେଦ ବୃକ୍ଷ। ନିଜେ ବାଡ଼ିରେ ପରିଶ୍ରମ କରି ସେ ଏହି ବୃକ୍ଷର ଯତ୍ନ ନେବା ସହିତ ଏହି ବୃକ୍ଷ ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି ପଟାୟତ। ଅନେକ ଲୋକ ଏହି ଔଷଧିୟ ବୃକ୍ଷ ବିଷୟରେ ଜାଣିବା ଓ ଏହାକୁ ଦେଖିବା ପାଇଁ ଏଠାକୁ ଆସୁଛନ୍ତି। ପଟାୟତ ଏହି ସବୁ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ନିଜେ ସୃଷ୍ଟି କରିଥିବା ଔଷଧିୟ ଚାରାଙ୍କୁ ଅନ୍ୟମାନଙ୍କୁ ବି ବାଣ୍ଟୁଛନ୍ତି। ପଟାୟତ ସାହୁ କହିଛନ୍ତି, ‘ପାରମ୍ପରିକ ଚିକିତ୍ସା ଲାଗି ଗୋଟିଏ ଏକରରୁ ଅଧିକ ଜାଗାରେ ଗଙ୍ଗଶିଉଳୀ, ଭୁଇଁଲିମ୍, ସପ୍ତପର୍ଣ୍ଣି ଆଦି ଅନେକ ଚାଷ କରାଯାଇଛି। ଝାଡ଼ାବାନ୍ତି ଲାଗି ହେମ କେଦାରର ୫-୬ଟି ଭେରାଇଟୀ ଅଛି। ପାଇଁ ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି କିଛି ରାଜ୍ୟରୁ ଏହି ଔକ୍ଷଧୀୟ ଚେର ଆଣୁ। ଆମେ କାର୍ୟ୍ୟକ୍ରମ ପାଇଁ ବିଭିନ୍ନ ରାଜ୍ୟକୁ ଗସ୍ତ ସମୟରେ ସେଠାରୁ ଯେଉଁ ବିରଳ ଗଛ ମିଳେ, ତାକୁ ସାଥିରେ ନେଇକି ଆସୁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରଶଂସା ପାଇବା ପରେ ପଟାୟତ କହିଛନ୍ତି, ୩ମୋର ଏହି କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିବାରୁ ମୁଁ ବହୁତ ଖୁସି। କହିବାକୁ ଗଲେ ମୋର ୩୦-୩୫ ବର୍ଷର ପରିଶ୍ରମ ଆଜି ସାର୍ଥକ ହେଲା। ଆଉ ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଯଦି ମୋତେ ସରକାର ମୋତେ ସହାୟତା କରିବେ, ତାହେଲେ ଏହି କାମକୁ ଆହୁରି ବଢ଼ାଇ ପାରିବି। ଆର୍ଥିକ ସଂକଟ ସହ ମୋର ଭଲ ଘର ଖଣ୍ଡେ ବି ନାହିଁ। ସରକାର ଆର୍ଥିକ ସହାୟତା ସହ ଯଦି ୩ରୁ ୫ ଏକର ଜାଗା ଯୋଗାଇ ଦିଅନ୍ତି, ତାହେଲେ ମୁଁ ୪ରୁ ୫ହଜାର ପ୍ରଜାତିର ଔକ୍ଷଧୀୟ ବୃକ୍ଷ ରୋପଣ କରିପାରିବି ବୋଲି ପଟାୟତ କହିଛନ୍ତି। ପଟାୟତ କେବଳ ଯେ ବୃକ୍ଷର ଯତ୍ନ ନେଉଁଛନ୍ତି ସେ ତାହା ନୁହେଁ। ସେ ଏହା ଉପରେ ଅନେକ ପୁସ୍ତକ ଅଧ୍ୟୟନ କରି ଏହାର ଡକ୍ୟୁମେଣ୍ଟେସନ୍ ମଧ୍ୟ କରିଛନ୍ତି। ଅନେକ ଔଷଧିୟ ଫଳ, ଡାଳ ଓ ଚେରରେ ସେ ବିଭିନ୍ନ ଦୁର୍ମୁଲ୍ୟ ଔଷଧ ତିଆରି କରି ଲୋକଙ୍କୁ ମାଗଣାରେ ଦେଉଛନ୍ତି। ଏଥିପାଇଁ ଘରେ ସେ ଏକ କୋଠରୀରେ ପ୍ରୟୋଗଶାଳା ତିଆରି କରିଛନ୍ତି। ତାଙ୍କ ଅଜା ଅମଳରୁ ସେମାନେ ଏହି ଅଞ୍ଚଳର ପାରମ୍ପରିକ ବୈଦ୍ୟ ହିସାବରେ ଏହି ପରିବାରର ପ୍ରତିଷ୍ଠା ରହିଥିବା ବେଳେ ପଟାୟତ ସେବା ମନୋଭାବ ରଖି ଏହି କାର୍ୟ୍ୟକୁ ବହୁ ଆଗକୁ ନେଇଁଛନ୍ତି। ହେଲେ ଏଠାରେ ଅଳ୍ପ ଜାଗା ହେଉଥିବାରୁ ସେ ଆଗକୁ କରିବାକୁ ଚାହୁଁଥିବା ଅନେକ କାମକୁ ଆଗକୁ ବଢ଼ାଇ ପାରୁ ନାହାନ୍ତି।






