ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏବେ ନିର୍ବାଚନ ମଣ୍ଡଳୀରେ ଥିବା ବିଦ୍ୟାଳୟ ଚିନ୍ତା ଘାରିଛି । କିଭଳି ବିଦ୍ୟାଳୟ ଗୁଡ଼ିକର ଉନ୍ନତୀ ହେବ, ବିଦ୍ୟାଳୟ ସହ ପୂରତାନ ଛାତ୍ରଛାତ୍ରୀ ଯୋଡ଼ି ହେବେ ଏବଂ ମୋ ସ୍କୁଲ ଅଭିଯାନ ନିର୍ବାଚନ ମଣ୍ଡଳୀରେ ସଫଳ ହେବ, ସେ ନେଇ ମନ୍ତ୍ରୀ ପୁରା ଜୋରସୋରରେ ଲାଗିଥିବା ଦେଖା ଯାଇଛି । ପ୍ରଥମେ ନୟାଗଡ଼ ଓ ଓଡ଼ଗାଁରେ ମୋ ସ୍କୁଲ ଅଭିଯାନ ନେଇ ବୈଠକ, ପରେ ମୋଟିଭେଟର କର୍ମଶାଳ ଏବଂ ଏବେ ବିଦ୍ୟାଳୟକୁ ନେଇ ଜୁମ ଆପରେ ଘନ ଘନ ବୈଠକରୁ ଏହା ବୁଝାପଡ଼ୁଛି । ଶୁକ୍ରବାର ମନ୍ତ୍ରୀ ଡ. ସାହୁ ୫ଟି ବିଦ୍ୟାଳୟର ଶିକ୍ଷକଙ୍କ ସହ ଜୁମ ଆପରେ ଆଲୋଚନା କରିଥିବା ଜଣାଯାଇଛି । ରାସଙ୍ଗଠାରେ ଅବସ୍ଥିତ ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ, କିଶୋର ଚନ୍ଦ୍ର ବିଦ୍ୟାପିଠ ଗଣିଆ, ମଧ୍ୟଖଣ୍ଡ ଉଚ୍ଚ ବିଦ୍ୟାଳୟ ମଧ୍ୟଖଣ୍ଡ, କୁରାଳ ଉଚ୍ଚ ବିଦ୍ୟାଳୟ ଏବଂ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ଇଟାମାଟିର ଶିକ୍ଷକ ଶିକ୍ଷୟତ୍ରୀ ଜୁମ ଆପରେ ସାମିଲ ହୋଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା, ହ୍ୱାଟସ୍ ଆପ ଗ୍ରୁପ ତିଆରି କରିବା, ପୂରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାର ମନ୍ତ୍ର ମନ୍ତ୍ରୀ ଦେଇଥିବା ଜଣାଯାଇଛି । ଏହି ବୈଠଳରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମଧ୍ୟ ସାମିଲ ଥିବା ଜଣାଯାଇଛି ।






