ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଏବଂ ପୈାରାଞ୍ଚଳ ଅଧିନରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ମୋ ସ୍କୁଲ କର୍ମଶାଳା ଡିଆରଡିଏ ସୃଜନ ସଭା ଗୃହରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ମୋ ସ୍କୁଲ ଅଭିଯାନ ସଂମ୍ପର୍କରେ ବକ୍ତବ୍ୟରେ ଦେଇଥିଲେ । ମୋ ସ୍କୁଲ ବ୍ୟବସ୍ଥାକୁ ଅର୍ଥ ଆଦାୟ କରିବାରେ ସୀମିତି ନରଖିବା ପାଇଁ ମନ୍ତ୍ରୀ କହିଥିବା ବେଳେ ବିଦ୍ୟାଳୟର ଶିକ୍ଷା ଏବଂ ଦକ୍ଷତା ବିକାଶ ଦିଗରେ ମୋ ସ୍କୁଲ ବ୍ୟବସ୍ଥା ତଥା ଅଭିଯାନ କାର୍ଯ୍ୟ କରୁ ବୋଲି କହିଛନ୍ତି । ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂରାତନ ଛାତ୍ରଛାତ୍ରୀଙ୍କ ଏକ ଡାଟାବେଶ ପ୍ରସ୍ତୁତ କରି ସୋସିଆଲ ମିଡିଆ ତଥା ଚିଠି ଯୋଗେ ପୂରାତନ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ସହ ଯୋଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ବିଦ୍ୟାଳୟରେ ଆଲୁମିନ କମିଟି ଗଠନ କରିବା ଏବଂ ବିଦ୍ୟାଳୟର ଉନ୍ନତୀରେ ସେମାନଙ୍କୁ ସାମିଲ ତଥା ସହଯୋଗ କରିବାକୁ କୁହାଯାଇଛି । ଉକ୍ତ ଅଞ୍ଚର ଅଭିଭାବକ, ପୂରତାନ ଛାତ୍ରଛାତ୍ରୀ ବିଦ୍ୟାଳୟ ଉନ୍ନତୀରେ କିଭଳି ନିଜର ଆନ୍ତରିକତା ପ୍ରକାଶ କରିବେ ସେଥିପାଇଁ ମୋଟିଭେଟର୍ ଏବଂ କନଭେନରମାନେ ପ୍ରଚେଷ୍ଟା କରିବେ ବୋଲି ସୂଚନା ମିଳିଛି । ଏପରିକି ମୋ ସ୍କୁଲ ଅଭିଯାନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ କିଭଳି ସାରା ରାଜ୍ୟରେ ଆଗରେ ରହିବ ତା ଉପରେ ସମସ୍ତେ ସହଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଯୋଗ ଦେଇ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ ନୟାଗଡ଼ ବ୍ଲକରେ ମୋ ସ୍କୁଲ ଦ୍ୱାରା ୨ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ।







