ଓଡ଼ଗାଁ(ବାଘୁଆବାର୍ତ୍ତା) : କଲେଜର ବିକାଶ ତଥା ଗୁଣାତ୍ମକ ଶିକ୍ଷା ଦିଗରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇ ମୋ ସ୍କୁଲ ଭଳି “ମୋ କଲେଜ”କାର୍ଯ୍ୟକ୍ରମ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଅଛି । କୁରାଳ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଭାବଗ୍ରାହୀ କର ସଭାପତିତ୍ୱ କରିଥଲେ । ସମ୍ମାନିତ ଅତିଥିଭାବେ କୁରାଳ ସରପଞ୍ଚ ଝିଲି ପ୍ରଧାନ ,ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ,ନିରଞ୍ଜନ ତ୍ରିପାଠୀ ,ପୂର୍ବତନ ପଣ୍ଡିତ ଅଚ୍ୟୁତାନନ୍ଦ ସାହୁ ,ପୁରାତନ ଛାତ୍ର ତଥା ସାମ୍ବାଦିକ ଗଣେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ମୋ କଲେଜ ଅଭିଯାନ ମାଧ୍ୟମରେ କଲେଜର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମିତ୍ତ କିପରି ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନ ସହିତ କିପରି ଭାବଗତଭାବେ ଯୋଡି ହେବ ସେ ନେଇ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ । ମୋ କଲେଜ ଏକ ବ୍ୟାପକ ଚିନ୍ତାଧାରା ,ଆଗାମୀ ଦିନରେ କଲେଜର ଉନ୍ନତି ନିମିତ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅଧ୍ୟକ୍ଷ ଭାବଗ୍ରାହୀ କର କହିଥିଲେ । ଆଜିର କାର୍ଯ୍ୟକ୍ରମରେ ଶିକ୍ଷକ ଚିନ୍ତାମଣି ପାଣିଗ୍ରାହୀ ,ପୂର୍ବତନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ , ବୁଦ୍ଧିଜୀବୀ ରଜତ ମହାପାତ୍ର ଏବଂ କଲେଜର ପୁରାତନ ଛାତ୍ର ଉପସ୍ଥିତ ଥିଲେ।ପରିବେଶବିତ ସୁକାନ୍ତ ଚୌଧୁରୀ ଅନୁଷ୍ଠାନର ପୂର୍ବତନ ସଂପାଦକ ଗୁରୁମୂର୍ତ୍ତି ସୁବୁଦ୍ଧିଙ୍କ ସ୍ମୃତି ଉଦ୍ଦେଶ୍ୟରେ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂତନ ଆକ୍ବାଗାର୍ଡ ମଧ୍ୟ ପ୍ରଦାନ କରିଥିଲେ । ସନ୍ଧ୍ୟା ୫ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ପୋର୍ଟାଲର ଶୁଭାରମ୍ଭର ଲାଇଭ ଷ୍ଟ୍ରିମିଙ୍ଗ ଭିଡିଓ ପ୍ରସାରଣ ନିମନ୍ତେ କଲେଜ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଅନୁଷ୍ଠାନର ଅଧ୍ୟାପକ ବିଜୟାନନ୍ଦ ଶତପଥୀ ,କୃଷ୍ଣଚନ୍ଦ୍ର ସାହୁ ,ସୁଷମାମଞ୍ଜରୀ ପାଣିଗ୍ରାହୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।






