ସୁନ୍ଦରଗଡ଼,(ବାଘୁଆବାର୍ତ୍ତା): ଆମର ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପୁରଣ କରନ୍ତୁ । ନଚେତ୍ ଏହି ଅଞ୍ଚଳରୁ ମାଲ ପରିବହନ କରାଇ ଦେବୁ ନାହିଁ କହି ଉଭୟ ସରକାରଙ୍କୁ ଚେତାବନୀ ଦେଇ ରେଳ ଲାଇନରେ ଶୋଇ ଧାରଣା ଦେଇଛନ୍ତି ବିଧାୟକ । ଏଭଳି ଘଟଣା ଦେଖାଦେଇଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ । ସୂଚନାନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବିରେ ଆଜି ବିମଲଗଡ଼ ତାଳଚେର ସଂଗ୍ରାମ ସମିତି ପକ୍ଷରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସିପିଆଇଏମ କର୍ମୀମାନଙ୍କ ସହଯୋଗରେ ବିମଳଗଡ଼ ଠାରେ ରେଳ ରୋକ କରିଥିଲେ । ଉକ୍ତ ରେଳପଥ ନିର୍ମାଣ ପାଇଁ ୬୮ବର୍ଷ ତଳେ କାମ ଆରମ୍ଭ ହୋଇଥିଲା । କିନ୍ତୁ ୫୦ବର୍ଷ ବିତିଗଲା ତଥାପି କାମ ସରିପାରିନି । ତେଣୁ ଉକ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ୬ ଶହ କୋଟିର ଆବଶ୍ୟକ ହେଉଥିବା ବେଳେ ଏହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୁରଣ କରନ୍ତୁ ବୋଲି ଦାବି କରିଛନ୍ତି ବଣାଇ ବିଧାୟକ ଶ୍ରୀ ମୁଣ୍ଡା । ତେଣୁ ଏଥିପ୍ରତି ବିଧାୟକ ଶ୍ରୀ ମୁଣ୍ଡା ରେଳ ଲାଇନରେ ଶୋଇ ଆନ୍ଦୋଳନ କରିଥିଲେ । ଉଭୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମ୍ୟାର ସମାଧନ କରନ୍ତୁ ବୋଲି କହିଛନ୍ତି ବଣାଇ ବିଧାୟକ ।





