ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଜ୍ରପାତ ମୃତ୍ୟୁ ରାଜ୍ୟ ପାଇଁ ଆହ୍ବାନ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ମୃତ୍ୟୁକୁ ରୋକିବା ପାଇଁ ସଚେତନତା ହିଁ ସବୁଠାରୁ ବଡ଼ ଅସ୍ତ୍ର। ଲୋକମାନଙ୍କୁ ସଚେତନ କରିବା ପାଇଁ ମିଶନଶକ୍ତିର ମାଆମାନଙ୍କୁ ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଥମେ ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)ଏଥିପାଇଁ ମହିଳା ଏସ୍ଏଚ୍ଜିର ସଦସ୍ୟମାନଙ୍କୁ ଅବଗତ କରାଇବେ। ସେମାନେ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇବାରେ ବଡ଼ ଭୂମିକା ଗ୍ରହଣ କରିବେ। ରାଜ୍ୟ ସରକାର ବିପର୍ୟ୍ୟୟ ପରିଚାଳନା ଓ ଶୂନ୍ୟ ଜୀବନହାନୀକୁ ମୁଳ ମନ୍ତ୍ର କରିଛନ୍ତି। ଅନ୍ୟ ବିପର୍ୟ୍ୟୟଗୁଡ଼ିକରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସଫଳତା ବହୁ ଆଗରେ ରହିଛି। ମାତ୍ର ବଜ୍ରପାତ ଜନିତ ମୃତ୍ୟୁ ରାଜ୍ୟ ପାଇଁ ବଡ଼ ବିପର୍ୟ୍ୟୟ ସାଜିଛି। ବଜ୍ରପାତ ଯୋଗୁଁ ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୪୦୦ ଲୋକଙ୍କ ଜୀବନ ଯାଉଥିବା ବେଳେ ଏଥିପାଇଁ ଅନେକ ପରିବାର ଉଜୁଡ଼ି ଯାଉଛି। ୨୦୧୭-୧୮ରେ ରାଜ୍ୟରେ ସର୍ବାଧିକ ୪୭୪ ଜଣଙ୍କ ଜୀବନ ଏଥିପାଇଁ ଯାଇଥିଲା। ୨୦୨୧ରେ ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଥିଲା। ସେହି ବର୍ଷ ରାଜ୍ୟରେ ୨୧୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା। ୨୦୨୨ରେ ଏହି ସଂଖ୍ୟା ହ୍ରାସ ହୋଇଥିଲେ ମଧ୍ୟ ୧୬୮ ଜଣଙ୍କର ଏଥିରେ ଜୀବନ ଯାଇଛି। ରାଜ୍ୟ ସରକାର ଏବେ ସଚେତନତା କ୍ଷେତ୍ରରେ ଅଧିକରୁ ଅଧିକ ମାନବ ସମ୍ବଳ ଓ ପ୍ରଯୁକ୍ତି ବିଦ୍ୟା ବିନିଯୋଗ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଏସ୍ଏଚଜିମାନଙ୍କ ସହିତ ସ୍ଥାନୀୟ ହାଟ ଓ ମେଳା ଆଦିରେ ମଧ୍ୟ ନାଟକ ଆଦି କରି ସଚେତନତା କରିବାକୁ ଯୋଜନା କରାଯାଇଛି। ସେହିପରି ସ୍କୁଲ୍ ଓ କଲେଜ ଆଦିରେ ସଚେତନତାକୁ ବ୍ୟାପକ କରାଯିବ। ଅଧିକାଂଶ ଚାଷୀ ବଜ୍ରପାତର ଶିକାର ହେଉଥିବାରୁ ସେମାନଙ୍କ ନିକଟକୁ ଯାଇ ସଚେତନ କରାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।ପ୍ରାଥମିକ ପର୍ୟ୍ୟାୟରେ ସବୁଠୁ ଅଧିକ ବଜ୍ରପାତ ପ୍ରବଣ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗିର ଓ କୋରାପୁଟରେ ଏହି ସଚେତନତା କାର୍ୟ୍ୟକ୍ରମ କରାଯିବ। ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ଏହି ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ବାଲେଶ୍ୱରଠାରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି। ଏହ ସ୍ଥାପନ ହେବା ପରେ ବଜ୍ରପାତ ଉପରେ ଗବେଷଣା ହେବା ସହ ବଜ୍ରପାତ ମୃତ୍ୟୁ ରୋକିବା ଉପରେ କାର୍ୟ୍ୟ କରାଯିବା ନେଇ ଆଶା ରହିଛି। ସେହିପରି ସମ୍ବଲପୁର ଓ ବାଲେଶ୍ୱରରେ ଡପଲାର ରାଡାର କାର୍ୟ୍ୟକ୍ଷମ ପରେ ମଧ୍ୟ ଏକ୍ଷେତ୍ରରେ ଆକଳନର ସଠିକତା ବୃଦ୍ଧି ହେବ ଓ ଏହା ଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ ବୋଲି ଲକ୍ଷ୍ୟ ରହିଛି।






