ନୟାଗଡ଼, (ବାଘୁଆବାର୍ତ୍ତା): ମୋର କିଛି ଦରକାର ନାହିଁ । ଯାନି, ଯୌତୁକ, ଘରକରଣା ସାମଗ୍ରୀ ସବୁ ପଛ, ତୁମେ ଆଗ । କେବଳ ମୋର ତୁମେ ହିଁ ଲୋଡ଼ା । ଏହା ଥିଲା କଟକ ସିଡିଏ ନିବାସୀ ସଞ୍ଜୟ ଦାସଙ୍କର ତାଙ୍କ ଜୀବନ ସଙ୍ଗିନୀ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗଡ଼ିଆସାହି ବାସିନ୍ଦା ବର୍ଷାରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଆବେଗଭରା ଦୁଇପଦ କଥା । ସଞ୍ଜୟ ଟାଟା ୱେଷ୍ଟସାଇଡରେ ଷ୍ଟୋର ମ୍ୟାନେଜର ପଦରେ କାର୍ୟ୍ୟରତ ଅଛନ୍ତି । ସାମ୍ପ୍ରତିକ ବିବାହ ପ୍ରଥାରୁ ବହୁ ଦୂରକୁ ଯାଇ ଏକ ନିଆରା ବିବାହ ରଚି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସାଧାରଣତଃ ବିବାହ କଥା କହିଲେ ବାଜା, ବାଣ, ଲାଇଟ୍, ଯାନି ଯୌତୁକକୁ ଆଗ ଗୁରୁତ୍ୱ ଦିଆଯାଏ । ଆଉ ବ୍ରାହ୍ମଣଙ୍କ ଉପସ୍ଥିତି ସହିତ ବରଯାତ୍ରୀ ବି ଲୋଡ଼ା । ହେଲେ ଏସବୁକୁ ପରିତ୍ୟାଗ କରି କେବଳ ୧୭ ମିନିଟ୍ରେ ସେ ନିଜ ବିଭାଘର ସମ୍ପନ୍ନ କରାଇଛନ୍ତି । ବାହାଘର ସମ୍ପନ୍ନ କରିବା ଲାଗି ବ୍ରାହ୍ମଣ ବି ଦରକାର ପଡ଼ିନଥିଲେ । କୌଣସି ପ୍ରକାର ବିବାହ କର୍ମକର୍ମାଣୀ ନଥିଲା କି ବେଦି ସଜାଯାଇନଥିଲା । ବିନା ଯୌତୁକରେ ବିନା ବାଜା, ବାଣ ରୋଷଣିରେ ବାହାଘର ହେଲା । ବରଯାତ୍ରୀ ନଥିଲେ କି ସେମାନଙ୍କ ଅଳିଅର୍ଦ୍ଦଳି କି ଗଣ୍ଡଗୋଳ ବି ନଥିଲା । ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହକାରେ ବରପାତ୍ର କନ୍ୟାର ପାଣିଗ୍ରହଣ କରିଥିଲେ । ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ମାରୁତି ରେସିଡେନସିରେ ଥିବା ସତ୍ଲୋକ ଆଶ୍ରମ ପରିସରରେ ଏହିଭଳି ନିଆରା ବିବାହ ସମ୍ପନ୍ନ ହୋଇଛି । ଉଭୟେ ଉଚ୍ଚଶିକ୍ଷିତ ହୋଇଥିବା ବେଳେ ସତ୍ଲୋକ ଆଶ୍ରମର ସନ୍ଥ ରାମପାଲଜୀ ମହାରାଜଙ୍କ ତତ୍ତା୍ୱବଧାନରେ ବିବାହ ସମ୍ପନ୍ନ ହୋଇଥିଲା । ବାହାଘର ବେଳେ କେବଳ ଗୁରୁବାଣୀ ପାଠ କରାଯାଇଥିଲା । ଏହି ଆଶ୍ରମ ସହିତ ଉଭୟ ବରକନ୍ୟା ଜଡ଼ିତ ଥିବାରୁ ସେମାନେ ଏହି ଆଦର୍ଶ ବିବାହକୁ ସ୍ୱୀକୃତି ଦେଇ ସେମାନଙ୍କ ଗୁରୁଙ୍କ ଆଶୀର୍ବାଦ ନେଇ ସଂସାର ଆରମ୍ଭ କରିବାକୁ ଶପଥ ନେଇଥିଲେ । ଏବିଷୟରେ ବିବାହ ସମ୍ପନ୍ନ କରାଇଥିବା ସଦ୍ଗୁରୁ ରାମପାଲଜୀ ମହାରାଜ କୁହନ୍ତି ଆମ୍ଭେ ମାନବ ଜାତି ଏକ ଓ ଅଭିନ୍ନ । ଆମ୍ଭେ ସେହି ପୂର୍ଣ୍ଣ ପରମେଶ୍ୱର କବୀର ସାହେବଙ୍କର ସନ୍ତାନ ଅଟୁ । ଉଚ୍ଚଶିକ୍ଷିତ ଉଭୟ ବରକନ୍ୟା ବିନା ଯୌତୁକ ଓ ବିନା ଆଡ଼ମ୍ବରରେ ବିବାହ କରି ସମାଜକୁ ଏକ ନୂତନ ସଂଦେଶ ଦେଇଛନ୍ତି । ବିବାହ କେବଳ ଦୁଇ ଆତ୍ମାର ମିଳନ ତଥା ପବିତ୍ର ବନ୍ଧନ ମାତ୍ର । ଏଥିପାଇଁ କୌଣସି ଆଡ଼ମ୍ବର ଓ ଅଯଥା ଖର୍ଚ୍ଚର ଆବଶ୍ୟକତା ନାହିଁ ବୋଲି ଗୁରୁଜୀ କହିଥିଲେ ।






