ଘାରିଛି ରାଜ୍ୟ ବାହାରେ ଥିବା ନୟାଗଡ଼ିଆଙ୍କ ଚିନ୍ତା
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଘାରିଛି ରାଜ୍ୟ ବାହାରେ ଥିବା ନୟାଗଡ଼ିଆଙ୍କ ଚିନ୍ତା । କିଛି ଦିନ ତଳେ ମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟକୁ ଜନପ୍ରତିନିଧିଙ୍କୁ ଡାକି ରାଜ୍ୟ ବାହାରେ ଥିବା ନୟାଗଡ଼ିଆଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ । ମାତ୍ର ଜନପ୍ରତିନିଧିମାନେ ଏନେଇ କ’ଣ କାର୍ଯ୍ୟ କରିଛନ୍ତି, ତାହାର ସମୀକ୍ଷା କରିବାକୁ ଆଜି ମନ୍ତ୍ରୀ ବିଭିନ୍ନ ପଂଚାୟତ ଗ୍ରସ୍ତ କରି ପଂଚାୟତ ପ୍ରତିନିଧିଙ୍କୁ ତାଗିଦ୍ କରିଛନ୍ତି । ଯଥାଶ୍ରୀଘ୍ର ତାଲିକା ପ୍ରସ୍ତୁତ କରିବା ସହ ବାହାରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଫୋନ୍ ନମ୍ବର ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଡାଉନ୍ ଉଠିବା ପରେ ସେମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବାକୁ ମନ୍ତ୍ରୀ କହିଛନ୍ତି । ଏଥିସହିତ ରାଜ୍ୟ ବାହାରୁ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍ରେ କିଭଳି ରଖାଯିବା ସେ ନେଇ ଆଗୁଆ ବ୍ୟବସ୍ଥା କରିବା ଏବଂ ପ୍ରସ୍ତୁତ ରହିବାକୁ ସେ ଆଜି ବିଭିନ୍ନ ପଂଚାୟତର ସରପଂଚ ଏବଂ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ମନ୍ତ୍ରୀ ନୟାଗଡ଼ ବ୍ଲକର କ୍ରିଦାଶପୁର, ବାଲୁଗାଁ, ଶରଧାପୁର, ଗଦାଧରପ୍ରସାଦ, ଚମ୍ପତ୍ତିପୁର, ନାଟୁଗାଁ, ବାଉଁଶିଆପଡ଼ା, ଜହ୍ନିପଦା ପଂଚାୟତ ଗ୍ରସ୍ତ କରିଥିବା ଜଣାଯାଇଛି । ଏଥିସହିତ ନିଜ ପଂଚାୟତରେ ଥିବା ଅନ୍ୟ ଜିଲ୍ଲାର ଶ୍ରମିକମାନଙ୍କୁ କିପରି ସେମାନେ ତାଙ୍କ ନିଜ ଜିଲ୍ଲାକୁ ଫେରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାକୁ ସହ ସୁବିଧା ଅସୁବିଧା ବୁଝିବାକୁ କହିଛନ୍ତି ।






