ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ଷୀରରେ କ୍ୟାଲସିୟମ, ଭିଟାମିନ୍ ଡି, ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ । କ୍ଷୀର ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ହେଉଛି ପ୍ରୋଟିନର ଏକ ମୁଖ୍ୟ ଉତ୍ସ । କ୍ଷୀର ହାଡ଼କୁ ମଜବୁତ ରଖିବା ସହ ଓଜନ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ତେବେ ଅନେକ ଭିଟାମିନ୍ ଓ ପୋଷକ ତତ୍ତ୍ୱରେ ଭରପୂର ଥିବା କ୍ଷୀରର ଫାଇଦା ପାଇବାକୁ ହେଲେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଦରକାର । ଆସନ୍ତୁ ଜାଣିବା କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀର ପାଇଁ ଅଧିକ ଫାଇଦା ହୋଇଥାଏ । ସାଧାରଣତଃ ବ୍ୟାୟାମ କରୁଥିବା ଲୋକଙ୍କ ଶରୀର ପାଇଁ ପର୍ୟ୍ୟାପ୍ତ ପରିମାଣରେ ପ୍ରୋଟିନ୍ ଓ କ୍ୟାଲସିୟମ୍ ଆବଶ୍ୟକ । ତେଣୁ ଏପରିସ୍ଥଳେ ସକାଳ ବେଳା କ୍ଷୀର ସେବନ କରିବା ଠିକ୍ ହେବ । ଦିନସାରା ଭୋକକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ମଧ୍ୟ ଆପଣ ସକାଳେ କ୍ଷୀର ପିଇ ପାରିବେ । ସକାଳେ କ୍ଷୀର ପିଇବା ପରେ କିଛି ଲୋକଙ୍କ ପେଟ ଫୁଲିଯାଏ, ସେମାନେ ସକାଳେ କ୍ଷୀର ପିଇବା ଅନୁଚିତ୍ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଥାନ୍ତି, ତେବେ ରାତିରେ କଦାପି ସେବନ କରନ୍ତୁ ନାହିଁ । ରାତିରେ କ୍ଷୀର ପିଇବା ଦ୍ୱାରା ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହେଉଥିଲେ, କ୍ଷୀର ପିଅନ୍ତୁ ନାହିଁ । ଯଦି ଆପଣଙ୍କୁ ରାତିରେ ନିଦ୍ରା ସମସ୍ୟା ହେଉଥାଏ, ତେବେ ଆପଣ ଉଷୁମ କ୍ଷୀର ସେବନ କରିପାରିବେ । ଦିନସାରା ପରିଶ୍ରମ କରି ଥକିଯାଇ ଲୋକମାନେ ରାତି ବେଳା କ୍ଷୀର ପିଇବା ଉଚିତ । ସର୍ବଦା ନଖ ଉଷୁମ କ୍ଷୀର ପିଅନ୍ତୁ । କାରଣ ଉଷୁମ କ୍ଷୀର ସହଜରେ ହଜମ ହୋଇଥାଏ । ଥଣ୍ଡା କ୍ଷୀର ପିଇବା ଅନୁଚିତ ।





