ନୟାଗଡ଼, (ବାଘୁଆବାର୍ତ୍ତା) : କିଛିଦିନର ନୀରବତା ପରେ ଦଶପଲ୍ଲାରେ ଆରମ୍ଭ ହୋଇ ଚୋରୀ, ରାହାଜାନୀ । ଘରେ କେହି ନଥିବା ସୁଯୋଗରେ ମଧ୍ୟ ଲୁଟ ହୋଇଥିବା ଜଣାଯାଇଛି । ଗତ ଛଅ ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଘରୁ ଲୁଟ ହୋଇଥିବା ବେଳେ ମଙ୍ଗଳବାର ମଧ୍ୟ ଲୁଟେରାମାନେ ତିନିଜଣଙ୍କ ଘରେ କଳାକନା ବୁଲାଇବାକୁ ଚେଷ୍ଟା କରିଛନ୍ତି । ଦଶପଲ୍ଲା ଥାନା ଅନ୍ତର୍ଗତ ସ୍ଥାନୀୟ ଦୁର୍ଗାବଜାର କଲୋନୀରେ ଦାଶରଥି ସାହୁ ଭୁବନେଶ୍ୱରରେ ରହିବା ସହ ମଝିରେ ମଝିରେ ଦଶପଲ୍ଲା ଆସନ୍ତି । ତାଙ୍କ ପଡ଼ୋଶୀରେ ରହୁଥିବା କେପିଡି କଲେଜର ଅଧ୍ୟାପକ ଧୀରେନ୍ଦ୍ର କୁମାର ମହାରଣା ମଙ୍ଗଳବାର ନିଜ ଗ୍ରାମ ମଧ୍ୟଖଣ୍ଡକୁ ଯାଇଥିଲେ । ଏହାର ସୁଯୋଗ ନେଇ କିଛି ଦୁର୍ବୁତ ଦାଶରଥୀଙ୍କ ଘରର ତାଲା ଭାଙ୍ଗି ଘରେ ପଶିବା ସହ ଆଲମିରା ତାଡି ଜିନିଷ ପତ୍ର ଛାନବିନ୍ କରିଛନ୍ତି । ଏହା ମଧ୍ୟରେ ଥିବା ପାଖାପାଖି ୪୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ କିଛି ନଗଦ ଟଙ୍କା ନେଇଯାଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ସେହିଭଳି ଧିରେନ୍ଦ୍ରଙ୍କ ଆଲମିରା ଭାଙ୍ଗି ପ୍ରାୟ ୫ ହଜାର ଟଙ୍କା ସହ ଏକ କାନଫୁଲ ନେଇ ଯାଇଛନ୍ତି । ଯାହାର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି । ସେହିଭଳି ତାଙ୍କ ପଛପାଶ୍ୱର୍ରେ ରହୁଥିବା ବିଭୁପ୍ରସାଦ ପତିଙ୍କ ଘର ଭାଙ୍ଗିଥିବା ବେଳେ କିଛି ଜିନିଷ ନେବାପାଇଁ ସକ୍ଷମ ହୋଇ ପାରିନଥିବା ଜଣାପଡିଛି । ତେବେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଦଶପଲ୍ଲା ଅଂଚଳରେ ବାରମ୍ବାର ଲୁଟ ଓ ରାହାଜାନୀ ଲୋକଙ୍କ ଚିନ୍ତା ବଢ଼ାଇଛି ।






