ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ହସ୍ତତନ୍ତ ବୁଣା ଓ ଡିଜାଇନିଂ ଅନୁଷ୍ଠାନରେ ହସ୍ତତନ୍ତ କ୍ଷେତ୍ରର ମାଷ୍ଟର କାରିଗରମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ପ୍ରାକୃତିକ ଉତ୍ସରୁ ପ୍ରାକୃତିକ ରଙ୍ଗ ବାହାର କରିବାର ପ୍ରକ୍ରିୟା ଏବଂ କପା ଏବଂ ରେଶମ ସୂତା ଉପରେ ଏହାର ରଙ୍ଗ ପ୍ରୟୋଗ ବିଷୟରେ ତାଲିମ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନପ୍ରାପ୍ତ ଏବଂ ବୟନଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶାଙ୍କ ଦ୍ୱାରା ରାଜ୍ୟ ହସ୍ତତନ୍ତ ପୁଂଜ ବିକାଶ ଅନୁଷ୍ଠାନକୁ ପ୍ରଦାନ କରାଯାଇଛି । ଏହି ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମକୁ ଦକ୍ଷିଣ କେନ୍ଦ୍ରୀୟ ବିଭାଗର ବୟନ ଉପନିର୍ଦ୍ଦେଶକ ଶ୍ରୀ ଉତ୍ପଳ ଘୋଷ ଏବଂ ରାଜ୍ୟ ହସ୍ତତନ୍ତ ପୁଂଜ ବିକାଶ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଗ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ପ୍ରକଳ୍ପ ସଂଯୋଜକ ରଜନୀ କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ୧୫ ମାର୍ଚ୍ଚରୁ ଆରମ୍ଭ ହୋଇଛି । ଏହା ୧୫ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ତାଲିମ ନେବା ନିମନ୍ତେ ଆଠଗଡ଼, ବରଗଡ଼, ଖୋର୍ଦ୍ଧା, ସୋନପୁର ଏବଂ ବାଲେଶ୍ୱର ବୟନ ମଣ୍ଡଳରୁ ଜଣେ ଲେଖାଏଁ ମାଷ୍ଟର କାରିଗର ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ହସ୍ତତନ୍ତ ପୁଂଜ ବିକାଶ ଅନୁଷ୍ଠାନ, ଭୁବନେଶ୍ୱର ଏବଂ ସହକାରୀ ବୟନ ନିର୍ଦ୍ଦେଶକ, ଖୋର୍ଦ୍ଧାଙ୍କ ସହଯୋଗରେ କାର୍ଯ୍ୟକାରୀ ହେଉଛି ।






