ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିଲେବି ଦେଶର ଅନେକ ଲୋକ ଏବେ ବି ସତର୍କତା ଅବଲମ୍ବନ କରୁନାହାନ୍ତି । ଏକ ଅଟକଳ ଅନୁସାରେ ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି । ଯେତିକି ଲୋକ ମାସ୍କ ପିନ୍ଧୁଛନ୍ତି ସେମାନଙ୍କ ମଧ୍ୟରୁ ୬୪ ପ୍ରତିଶତ ମାସ୍କ ତ ପିନ୍ଧୁଛନ୍ତି କିନ୍ତୁ ତାହା କେବଳ ପାଟିକୁ ଆବୃତ କରୁଛି ଓ ନାକ ଖୋଲା ରହୁଛି । ୨୦ ପ୍ରତିଶତ ଲୋକ ଥୋଡିରେ ଓ ୨ ପ୍ରତିଶତ ବେକରେ ମାସ୍କ ପିନ୍ଧୁଛନ୍ତି । ମାସ୍କ ପିନ୍ଧୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୧୪ ପ୍ରତିଶତ ଲୋକ ଠିକଭାବରେ ମାସ୍କ ପିନ୍ଧୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଓଡିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିଛି । ଓଡିଶାରେ ଗତ ୧୩ ରୁ ୧୯ ମେ ସପ୍ତାହରେ ପଜିଟିଭିଟି ହାର ୨୨.୫ ପ୍ରତିଶତକୁ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।





