ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଅମାନବୀୟ କାଣ୍ଡ ଘଟିଛି । ଜଣେ ବୃଦ୍ଧାଙ୍କୁ ନିଜ ପୁଅ-ବୋହୂ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ତରବରିଆ ଭାବେ ବୃଦ୍ଧାଙ୍କ ମୃତଦେହକୁ ଲୁଚାଇ ଗାଁକୁ ନେଇ ଯାଇଥିଲେ ପୁଅ-ବୋହୂ । ଅଭିଯୋଗ ପାଇ ମଞ୍ଚେଶ୍ୱର ଥାନା ପୋଲିସ ଜଙ୍କିଆ ଥାନା ପୋଲିସ ସହାୟତାରେ ନିରାକାରପୁର ମଶାଣିରୁ ମୃତଦେହ ଉଠାଇ ଆଣିଛି । ଶୁକ୍ରବାର ପୋଲିସ ଏକ ମାମଲା ରୁଜୁକରି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇଛି । ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ପୁଲିସ କହିବା ମୁତାବକ ଗତ ଜୁଲାଇ ୮ ତାରିଖରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଣେ ବୃଦ୍ଧାଙ୍କ ଗୋଡ଼ରେ ଶିକୁଳି ପକାଇ ବୋହୂ ଝାଡ଼ୁରେ ପିଟୁଥିଲେ । ଏହା ଦେଖି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ । ଭିଡ଼ିଓ ଭାଇରାଲ ହେବାପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବୃଦ୍ଧାଙ୍କ ଗୋଡ଼ରୁ ବେଡ଼ି ଖୋଲି ଦେଇଥିଲେ । ପୋଲିସ ପଚରାଉଚରା କରିବାରୁ ବୃଦ୍ଧାଙ୍କ ମାନସିକ ବିକୃତି ଅଛି ଓ ସେ ଘର ଛାଡ଼ି ପଳାଉଥିବାରୁ ତାଙ୍କୁ ବାନ୍ଧି ରଖା ଯାଇଥିଲା ବୋଲି ତାଙ୍କ ପୁଅ-ବୋହୂ ସଫେଇ ଦେଇଥିଲେ । ସେମାନେ ଆଉ ମାରଧର କରିବେନି ବୋଲି ପ୍ରତିଶ୍ରୁତି ଦେବା ପରେ ପୁଲିସ ଫେରିଥିଲା । ଗୁରୁବାର ସନ୍ଧ୍ୟାରେ ହଠାତ୍ ଏକ ଆମ୍ବୁଲାନ୍ସ ଆସି ବୃଦ୍ଧାଙ୍କ ଘର ସମ୍ମୁଖରେ ଲାଗିଥିଲା । ଆମ୍ବୁଲାନ୍ସର ଲାଇଟ୍ ଲିଭା ଯାଇଥିଲା । ବୃଦ୍ଧାଙ୍କୁ ତରବରିଆ ଭାବେ ପୁଅ-ବୋହୂ ଆମ୍ବୁଲାନ୍ସରେ ଲଦି ଗାଁକୁ ନେଇ ଯାଇଥିଲେ । ଏହି ଖବର ପ୍ରଚାର ହେବାପରେ ପାଖପଡ଼ୋଶୀମାନେ ଉଠି ଆସିଥିଲେ । ସେତେବେଳକୁ ଆମ୍ବୁଲାନ୍ସରେ ବୃଦ୍ଧାଙ୍କ ମୃତଦେହ ନେଇ ପୁଅ-ବୋହୂ ପଳାଇଥିଲେ । ଲୋକେ ଗୋଡ଼ାଇଥିଲେ ମଧ୍ୟ ସେମାନଙ୍କୁ ପାଇ ନଥିଲେ । ପରେ ପଡ଼ୋଶୀମାନେ ରାତିରେ ମଞ୍ଚେଶ୍ୱର ଥାନାରେ ପହଞ୍ଚି ଘଟଣା ସଂପର୍କରେ ଜଣାଇଥିଲେ । ୨ ଦିନ ତଳେ ପୁଅ-ବୋହୂ ମିଶି ବୃଦ୍ଧାଙ୍କୁ ମାଡ଼ ମାରୁଥିବା ପଡ଼ୋଶୀମାନେ ଦେଖିଥିବା ପୁଲିସକୁ କହିଥିଲେ । ତେଣୁ ଏଭଳି ଭାବେ ଲୁଚାଇ ବୃଦ୍ଧାଙ୍କ ମୃତଦେହ ନେଇ ପଳାଇଥିବାରୁ ତାଙ୍କୁ ପିଟିପିଟି ହତ୍ୟା କରା ଯାଇଥିବା ସେମାନେ ମଞ୍ଚେଶ୍ୱର ଥାନା ପୁଲିସକୁ ଜଣାଇଥିଲେ । ପୁଲିସ ସଙ୍ଗେ ସଙ୍ଗେ ଏନେଇ ଜଙ୍କିଆ ଥାନା ପୁଲିସକୁ ଜଣାଇଥିଲା । ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଜଙ୍କିଆ ଥାନା ପୁଲିସ ସହାୟତାରେ ନିରାକାରପୁରରେ ପହଞ୍ଚିଥିଲା । ସେତେବେଳକୁ ମଶାଣିରେ ବୃଦ୍ଧାଙ୍କୁ ପୋଡ଼ିବାକୁ ସମସ୍ତ ବନ୍ଦୋବସ୍ତ ସରିଥିଲା । ମଞ୍ଚେଶ୍ୱର ଥାନା ପୁଲିସ ସେଠାରେ ବୃଦ୍ଧାଙ୍କ ମୃତଦେହ ଉଠାଇ ଆଣିଥିଲା । ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ମାନସ ସ୍ୱାଇଁ କହିଛନ୍ତି, ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ କରାଇ ସତ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।





