କୋଲକତା (ବାଘୁଆବାର୍ତ୍ତା): କରୋନା ସଂକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ରାଜ୍ୟରେ କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଜରୁରି ଔଷଧ ଏବଂ ଉପକରଣ ଆମଦାନୀ ଲାଗି ଶୁଳ୍କ ରିହାତି ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି । ସେହିପରି ରାଜ୍ୟରେ କରୋନା ମୁକାବିଲା ଲାଗି ଉପଲବ୍ଧ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସାଙ୍ଗକୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ଔଷଧ ଏବଂ ଅମ୍ଳଯାନ ଯେଗାଣ ବୃଦ୍ଧି ଲାଗି ମଧ୍ୟ ମମତା ଦାବି କରିଛନ୍ତି । ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ସରକାରଙ୍କ ସହାୟତା ନିମନ୍ତେ ବିଭିନ୍ନ ସଙ୍ଗଠନ, ବ୍ୟକ୍ତି ଓ ପରୋପକାରୀ ସଂସ୍ଥାମାନେ ନିଜ ଆଡୁ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ସେମାନେ ଅକ୍ସିଜେନ କନସେନଟ୍ରେଟରଟାରୁ ଆରମ୍ଭ କରି ସିଲିଣ୍ଡର, କ୍ରାୟୋଜେନିକ ଷ୍ଟୋରେଜ ଟ୍ୟାଙ୍କ ଏପରିକି କରୋନା ଭାଇରସ ଔଷଧ ମଧ୍ୟ ଯୋଗାଇ ଦେବାକୁ ଚାହାନ୍ତି । ଏଣୁ ରାଜ୍ୟରେ ଏଭଳି ସହଯୋଗ ଦେବାକୁ ଚାହୁଁଥିବା ସଂସ୍ଥାଙ୍କୁ ଜିଏସଟି ଓ କଷ୍ଟମ ଡ୍ୟୁଟି ଛାଡ କରିବା ଲାଗି ମମତା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଏଜେନ୍ସୀମାନେ ଏପରି ସାମଗ୍ରୀ ଉପରେ ଥିବା ଜିଏସଟି, ସିଜିଏସଟି ଏସଜିଏସଟି ଓ ଆଇଜିଏସଟି ରିହାତି କନସିଡର କରିବା ଲାଗି ପଶ୍ଚିମବଙ୍ଗ ସରକାରଙ୍କ ସହ ସମ୍ପର୍କ କରିଛନ୍ତି । ତେବେ ଏହି ସବୁ ସାମଗ୍ରୀ ଦର ସଂରଚନା କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଥିବାରୁ ରାଜ୍ୟ ସରକାର ପ୍ରସଙ୍ଗରେ ଅସହାୟ ଅନୁଭବ କରୁଛନ୍ତି । ଏଣୁ ମମତା ଏପରି ସାମଗ୍ରୀକୁ ସମସ୍ତ କର ମୁକ୍ତ କରିବା ଲାଗି ନିବେଦନ କରିଛନ୍ତି ।





