କଡପା (ବାଘୁଆବାର୍ତ୍ତା): ଆନ୍ଧ୍ରପ୍ରଦେଶର କଡପାରେ ଥିବା ଗୋଟିଏ ଖଣି ଖାଦନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ବେଳେ ଏଠାରେ ପ୍ରାୟ ୪୦ ଜଣ ଶ୍ରମିକ କାମ କରୁଥିଲେ । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି । ସୂଚନନୁସାରେ, କାଲସାପାଡୁ ବ୍ଲକର ମାମିଲ୍ଲାପାଲ୍ଲେ ଗାଁରେ ଏହି ଖଣି ଖାଦାନ ରହିଥିଲା । ସବୁଦିନ ପରେ ଆଜି ମଧ୍ୟ ଶ୍ରମିକମାନେ କାମ କରୁଥିଲେ । ତେବେ ଜିଲୋଟିନ ଷ୍ଟିକ ଅନଲୋଡ ବେଳେ ହଠାତ ଅଘଟଣ ଘଟିଥିଲା । ଜିଲୋଟିନ ଷ୍ଟିକ ବିସ୍ଫୋରଣ କରିବାରୁ ପୂରା ଖଣି ଖାଦାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣା ସ୍ଥଳରେ ହିଁ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ବିସ୍ଫୋରଣ ଯୋଗୁ ଏକାଧିକ ସ୍ଥାନରେ ମାଟି ଧସି ପଡିବାରୁ ଧ୍ୱଂସାବଶେଷ ତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଧ୍ୱଂସାବଶେଷ ତଳୁ ୧୦ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଏହା ତଳେ ଆଉ କିଛି ଶ୍ରମିକ ପୋତି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଡୱେଲରୁ ଆସିଥିବା ଜିଲୋଟିନ କେମିତି ବିସ୍ଫୋରଣ ହେଲା, ତା’ର ପ୍ରକୃତ କାରଣ ଜଣାପଡିନି । ଘଟଣା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କଡପା ଜିଲ୍ଲା ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।





